ଆଇପିଏଲ-୨୦୨୨ : ଜାଣନ୍ତୁ ୧୦ଟି ଟିମ୍ କ୍ୟାପଟେନଙ୍କ ନେଟ୍ ୱର୍ଥ କେତେ?
ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ସିଜିନ ଆରମ୍ଭ ହେବା ଉପରେ। ୨୬ ମାର୍ଚ୍ଚକୁ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଖେଳାଯିବ। ଆଇପିଏଲରେ ଏଥର ୧୦ଟି ଦଳ ମଧ୍ୟରେ ହେବ ଲଢ଼େଇ। ଦଳଗୁଡ଼ିକର କମାଣ ରହିଛି ବହୁ ବଡ଼ ବଡ଼ ଖେଳାଳିଙ୍କ ହାତରେ, ଯେଉଁମାନଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ରହିଛି ବେଶ୍ ଦବଦବା। ଯଦି ଆଇପିଏଲ ଟିମ୍ ଗୁଡ଼ିକର ସମସ୍ତ କ୍ୟାପଟେନଙ୍କ ଇନକମ କଥା କହିବା, ତେବେ କିଛି ଏମିତି ନାଁ ସାମ୍ନାକୁ ଆସିବ, ଯେଉଁମାନେ କୋଟି କୋଟି ଟଙ୍କା ଆୟ କରନ୍ତି ଏବଂ ସେମାନଙ୍କ ମୋଟ ସମ୍ପତ୍ତି ପରିମାଣ ବି ଢେର୍ ଅଧିକ।
୧.ମୟଙ୍କ ଅଗ୍ରୱାଲ: ୧୨ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ କିଣିଥିବା ମୟଙ୍କ ଆଗ୍ରୱାଲଙ୍କ ମୋଟ ସମ୍ପତ୍ତି ପାଖାପାଖି ୨୬ କୋଟି ଟଙ୍କା। ସେ ବର୍ତ୍ତମାନ ସମୟରେ ବିସିସିଆଇର ବାର୍ଷିକ ଚୁକ୍ତିନାମାର ମଧ୍ୟ ଅଂଶବିଶେଷ। ଭାରତୀୟ ଟେଷ୍ଟ ଟିମରେ ମଧ୍ୟ ସେ ଖେଳନ୍ତି। ଏଥିସହ ବହୁ ନାମୀ କମ୍ପାନୀର ସେ ହେଉଛନ୍ତି ବ୍ରାଣ୍ଡ ଆମ୍ବାସାଡର।
୨. ଋଷଭ ପନ୍ତ: ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ ଋଷଭ ପନ୍ତଙ୍କୁ ଏଥର ଆଇପିଏଲରେ ୧୬ କୋଟି ଟଙ୍କା ମିଳୁଛି। ଏଇ ନିକଟରେ ହିଁ ତାଙ୍କ ନାଁ କ୍ରିକେଟ ଜଗତରେ ଖୁବ୍ ଶୀଘ୍ର ଚର୍ଚ୍ଚାର ଶିଖରରେ ପହଞ୍ଚିଛି। ଋଷଭ ପନ୍ତଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ପ୍ରାୟ ୩୬ କୋଟି ଟଙ୍କା।
୩. ହାର୍ଦ୍ଦିକ ପାଣ୍ଡ୍ୟା: ଗୁଜରାଟ ଟାଇଟନ୍ସ ଟିମର କ୍ୟାପଟେନ ସାଜିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦେଶର ନାମୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ତାଙ୍କର ମୋଟ ସମ୍ପତ୍ତି ପରିମାଣ ହେଉଛି ପ୍ରାୟ ୩୭ କୋଟି ଟଙ୍କା। ହାର୍ଦ୍ଦିକ ଦୀର୍ଘଦିନ ପରେ କ୍ରିକେଟ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ସେ ଅନେକ ବ୍ରାଣ୍ଡ ପାଇଁ ଆଡ୍ ମଧ୍ୟ କରୁଛନ୍ତି।
୪. ସଞ୍ଜୁ ସାମସନ: ୫୨ କୋଟି ସମ୍ପତ୍ତିର ଅଧିକାରୀ ସଞ୍ଜୁ ସାମସନ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଟିମର କ୍ୟାପଟେନ। ଚଳିତ ଆଇପିଏଲରେ ସଞ୍ଜୁ ସାମସନଙ୍କୁ ମିଳିବାକୁ ଯାଉଛି ୧୪ କୋଟି ଟଙ୍କା। ସେ MRF, SG ଭଳି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର।
୫. ଶ୍ରେୟସ ଆୟର: କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଶ୍ରେୟସ ଆୟର ଯୁବବର୍ଗରେ ବେଶ୍ ପପୁଲାର। ୫୩ କୋଟି ଟଙ୍କାର ସମ୍ପତ୍ତି ଥିବା ଶ୍ରେୟସ ଆୟର ନିକଟରେ ଟେଷ୍ଟ ଏବଂ ଦିନିକିଆରେ ବି ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି। ଶ୍ରେୟସ ଗୁଗୁଲ, ଜିଲେଟ, ବୋଟ ସମେତ ବହୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି।
୬. କେନ୍ ୱିଲିୟମସନ: ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ କେନ୍ ୱିଲିୟମସନ ଚଳିତ ସିଜିନର ‘ଫେଭରାଇଟ୍ ଫୋର୍’ ମଧ୍ୟରେ ସାମିଲ ଅଛନ୍ତି। ହାଇଦ୍ରାବାଦ ପକ୍ଷରୁ ତାଙ୍କୁ ଚଳିତ ସିଜିନରେ ଖେଳିବାକୁ ୧୪ କୋଟି ଟଙ୍କା ମିଳିବ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି, ୫୮ କୋଟି ଟଙ୍କା।
୭. କେ. ଏଲ. ରାହୁଲ: କିଙ୍ଗସ ଇଲେଭେନ ପଞ୍ଜାବ ପରେ ଏବେ ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପଟେନ ସାଜିଥିବା କେ. ଏଲ୍. ରାହୁଲ ଜଣେ ଷ୍ଟାଇଲିସ୍ ଖେଳାଳି। ତାଙ୍କୁ ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟରେ ମିଳେ ୫ କୋଟି ଟଙ୍କା। ଏଥିସହ ବହୁ ଫେମସ୍ ବ୍ରାଣ୍ଡ ସହ ସିଏ ଜଡ଼ିତ। ରାହୁଲଙ୍କ ମୋଟ ସମ୍ପତ୍ତି ପରିମଣ ହେଉଛି ୭୫ କୋଟି ଟଙ୍କା।
୮. ଫାଫ୍ ଡୁ ପ୍ଲେସିସ୍: ବିରାଟ କୋହଲୀଙ୍କ ସ୍ଥାନରେ ଆରସିବିର କ୍ୟାପଟେନଶିପ୍ ସମ୍ଭାଳିଥିବା ଫାଫ୍ ଡୁ ପ୍ଲେସିସ୍ ହେଉଛନ୍ତି ଦୁଇ ବିଦେଶୀ କ୍ୟାପଟେନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ମୋଟ ସମ୍ପତ୍ତି ପରିମଣ ହେଉଛି ୧୦୨ କୋଟି ଟଙ୍କା। ଏଥର ଆରସିବି ତାଙ୍କୁ ୭ କୋଟିରେ କିଣିଛି। ଆଫ୍ରିକା କ୍ରିକେଟ ବୋର୍ଡ ତାଙ୍କୁ ବାର୍ଷିକ ୩ କଟି ଟଙ୍କା ଦେଇଥାଏ। ଫାଫ୍ ଡୁ ପ୍ଲେସିସ୍ ଅନ୍ୟଦେଶର ଲିଗ୍ ମ୍ୟାଚ୍ ମଧ୍ୟ ଖେଳିଥା’ନ୍ତି।
୯. ରୋହିତ ଶର୍ମା: ଭାରତୀୟ କ୍ରିକେଟ ଟିମ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଆଇପିଏଲର ସବୁଠୁ ଧନୀ ଖେଳାଳିଙ୍କ ଭିତରେ ଜଣେ। ବିସିସିଆଇର ଗ୍ରେଡ୍-ଏ ପ୍ଲସ୍ କଣ୍ଟ୍ରାକ୍ଟରେ ସାମିଲ ରୋହିତଙ୍କ ନିକଟରେ ରହିଛି ବହୁ ବଡ଼ ବ୍ରାଣ୍ଡର କଣ୍ଟ୍ରାକ୍ଟ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ତାଙ୍କୁ ବାର୍ଷିକ ୧୬ କୋଟି ଟଙ୍କା ମିଳେ। CAKnowledge ତଥ୍ୟ ଅନୁସାରେ ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୧୮୦ କୋଟି।
୧୦. ଏମ୍. ଏସ୍. ଧୋନୀ: ଗତ ୧୫ ବର୍ଷ ଧରି କ୍ରିକେଟ ଦୁନିଆରେ ରାଜ୍ କରି ଆସୁଥିବା ଏମ୍.ଏସ୍. ଧୋନୀ ହେଉଛନ୍ତି ଆଇପିଏଲର ସବୁଠୁ ଧନୀ କ୍ୟାପଟେନ। ତଥ୍ୟ ଅନୁସାରେ, ଧୋନୀଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୮୦୦ କୋଟି ଟଙ୍କାରୁ ବି ଅଧିକ। ଏଥର ଏମ୍. ଏସ୍. ଧୋନୀଙ୍କୁ CSK ତରଫରୁ ମିଳିବ ୧୨ କୋଟି ଟଙ୍କା। ସେ ବହୁ ବଡ଼ ବଡ଼ କମ୍ପାନୀର ବ୍ରାଣ୍ଡକୁ ପ୍ରମୋଟ୍ କରନ୍ତି। ବାର୍ଷିକ ଆୟ ମାମଲାରେ ଧୋନୀ ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଟକ୍କର ଦିଅନ୍ତି। ତା’ ଛଡ଼ା ଧୋନୀ ନିଜେ ବହୁ କମ୍ପାନୀର ଅଂଶୀଦାର ଅଛନ୍ତି ନଚେତ୍ ମାଲିକ।
