ଆଇପିଏଲ୍-୨୦୨୨ : ଆଜି ଦିଲ୍ଲୀ ଓ କୋଲକାତା ମୁକାବିଲା
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ର ୪୧ତମ ଲିଗ୍ ମୁକାବିଲାରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚ୍କୁ ଜିତିବା ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦିଲ୍ଲୀ ଓ କୋଲକାତା ଚମତ୍କାର ବିଜୟ ସହ ସିଜନ ଆରମ୍ଭ କରିଥିଲେ ହେଁ ଧିରେ ଧିରେ ଲୟ ହରାଇ ବସିଥିଲେ । ୭ଟି ମ୍ୟାଚ୍ ଖେଳି ୩ ବିଜୟ ସହ କ୍ୟାପିଟାଲ୍ସ (୬ପଏଣ୍ଟ) ପଏଣ୍ଟ ତାଲିକାର ସପ୍ତମ ଓ ନାଇଟ୍ ରାଇଡର୍ସ ୮ଟି ମ୍ୟାଚ୍ରଚୁ ୩ ବିଜୟ ସହ ଅଷ୍ଟମ(୬ପଏଣ୍ଟ) ସ୍ଥାନରେ ରହିଛନ୍ତି । ପ୍ଲେ-ଅପ୍ରେ ପ୍ରବେଶ କରିବାକୁ ହେଲେ ପଏଣ୍ଟ ତାଲିକାର ପ୍ରଥମ ୪ଟି ସ୍ଥାନ ମଧ୍ୟରେ ସ୍ଥାନ ବଜାୟ ରଖିବା ଜରୁରି । ତେଣୁ ବିଜୟ ପାଇଁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଉଭୟ ଦଳ ପାଇଁ ଜିତିବା ଜରୁରି ହୋଇ ପଡ଼ିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଗତ ୧୦ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । କ୍ୟାପିଟାଲ୍ସ ଉକ୍ତ ମ୍ୟାଚ୍କୁ ୪୪ ରନ୍ରେ ଜିତିଥିଲା । ଏଥର ନାଇଟ ରାଇଡର୍ସ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । କେବଳ ଅଧିନାୟକ ଶ୍ରେୟାସ ଆୟରଙ୍କୁ ଛାଡ଼ିଦେଲେ ନାଇଟ ରାଇଡର୍ସର ଅନ୍ୟ କୌଣସି ବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରୁ ନାହାନ୍ତି । ଏଣିକି ଅନ୍ୟମାନଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ । ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । କେବଳ ବ୍ୟାଟିଂ ବିଭାଗ ସଫଳ ହେଲେ ନାଇଟ ରାଇଡର୍ସ ପୁଣି ଥରେ ବିଜୟ ଧାରାକୁ ଫେରିବ ।
କ୍ୟାପିଟାଲ୍ସ ଦଳରେ ମଧ୍ୟ ବ୍ୟାଟିଂ ବିଭାଗର ତ୍ରୁଟି ଦେଖିବାକୁ ମିଳିଛି । ପୃଥ୍ୱୀ ଶ’ ଓ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅର୍ଦ୍ଧଶତକ ଅର୍ଜନ କରିପାରି ନାହାନ୍ତି । ରିଷଭ ପନ୍ତ, ସର୍ଫରାଜ ଖାନ ମଧ୍ୟ ଭାଗରେ ସଫଳ ହେବା ଆବଶ୍ୟକ । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି ।କୁଲଦୀପ ଯାଦବଙ୍କ ଉପରେ ନଜର ରହିବ । ପୂର୍ବ ମ୍ୟାଚ୍ରେ ସେ ୪ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଆସନ୍ତା କାଲି ତାଙ୍କ ପାଇଁ ନାଇଟ ରାଇଡର୍ସ ବ୍ୟାଟରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ।
