ଆଇପିଏଲ-୨୦୨୨ : ଆଜି ଦିଲ୍ଲୀ ଓ ହାଇଦ୍ରାବାଦ ମୁକାବିଲା
ମୁମ୍ବାଇ: ଆଇପିଏଲ-୨୦୨୨ର ୫୦ତମ ମ୍ୟାଚରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ଥିବାରୁ ଶୀର୍ଷ ୪ ସ୍ଥାନ ମଧ୍ୟରେ ରହି ପ୍ଲେ-ଅଫ୍ ଖେଳିବାକୁ ଲଢେଇ ଜୋର୍ଦାର ହୋଇସାରିଛି । ଫଳରେ ଏହି ମ୍ୟାଚ୍ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି ।
ଏପରି ସ୍ଥିତିରେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା କେନ ୱିଲିୟମସନଙ୍କ ହାଇଦ୍ରାବାଦ ବିଜୟ ସହ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପଛରେ ପକାଇ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ପହଞ୍ଚିବା ଲକ୍ଷ୍ୟରେ ରହିବ । ସନରାଇଜର୍ସ ଏଯାବତ ୯ଟି ମ୍ୟାଚ୍ ଖେଳି ସାରିଥିବାବେଳେ ୫ଟି ବିଜୟ ସହ ୧୦ ପଏଣ୍ଟ ହାସଲ କରିଛି । ରୟାଲ୍ସ ଓ ଆରସିବିର ସମାନ ୧୨ ପଏଣ୍ଟ ରହିଛି । ଫଳରେ ସନ୍ଧ୍ୟାରେ ଦିଲ୍ଲୀକୁ ହରାଇଲେ ଓ ରନ୍ ରେଟ୍ ଅଧିକ ରହିଲେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଯିବ ହାଇଦ୍ରାବାଦ । ଅନ୍ୟପଟେ ଦିଲ୍ଲୀ ପାଇଁ ଅବଶିଷ୍ଟ ସମସ୍ତ ମ୍ୟାଚ୍ କର ବା ମର ସଦୃଶ ହୋଇଛି । ଋଷଭ ପନ୍ତଙ୍କ ନେତୃତାଧୀନ ଟିମ ଏଯାବତ ୯ଟି ମ୍ୟାଚ୍ ଖେଳି ମାତ୍ର ୪ଟି ବିଜୟ ହାସଲ କରିଛନ୍ତି । ଫଳରେ କ୍ୟାପିଟାଲ୍ସର ମାତ୍ର ୮ ପଏଣ୍ଟ ରହିଛି । ମାତ୍ର ଆଶ୍ବସ୍ଥିର କଥା ଏହା ଯେ ଟିମ ପାଖରେ ଏବେବି ୫ଟି ମ୍ୟାଚ୍ ହାତରେ ରହିଛି । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ପରାଜୟ, ଦିଲ୍ଲୀର ପ୍ଲେ-ଅଫ୍ ଆଶା ଧୁଳିଶାତ କରିବାର ସମ୍ଭାବନା ବୃଦ୍ଧିକରିବ । ପ୍ଲେ-ଅଫ୍ରେ ସ୍ଥାନ ଦୃଷ୍ଟିରୁ ଉଭୟ ଦିଲ୍ଲୀ ଓ ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ଫଳରେ ବ୍ରାବୋର୍ନୋ ଷ୍ଟାଡିୟମରେ ଲଢେଇ ଜୋରଦାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଗତ କିଛି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଏହି ମ୍ୟାଚ୍ରେ ସନରାଇଜର୍ସର ପଲ୍ଲା ଭାରୀ ଥିବା ଜଣାପଡୁଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସଂଘର୍ଷ କରିଥିବା ଅରେଞ୍ଜଆର୍ମୀ ଉଚିତ୍ ସମୟରେ ଲୟକୁ ଫେରିବା ସହ ବିଜୟ ଟ୍ରାକ୍ରେ ରହିଛି । ଟିମ ପାଖରେ ରହିଛି ଘାତକ ବୋଲିଂ ଆକ୍ରମଣ । ବ୍ୟାଟିଂରେ ମଧ୍ୟ କ୍ୟାପଟେନ ୱିଲିୟମସନ ସେନା ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଦିଲ୍ଲୀ ପାଇଁ ଚିନ୍ତାର କାରଣ ହୋଇଛି ମଧ୍ୟକ୍ରମ ବ୍ୟାଟିଂ । ଏକାଧିକ ଷ୍ଟାର ଖେଳାଳି ଥିବାସତ୍ତ୍ବେ ଉଭୟ ବୋଲିଂ ଓ ବ୍ୟାଟିଂରେ ସଂଘର୍ଷ କରୁଛି ଟିମ । ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବାକିଥିବା ସମସ୍ତ ମ୍ୟାଚ୍ରେ ବିଜୟ ଆବଶ୍ୟକ କରୁଛି କ୍ୟାପିଟାଲ୍ସ ।
