ଆଇପିଏଲ-୨୦୨୨ : ଚେନ୍ନାଇକୁ ୧୫୬ ରନ୍ର ଟାର୍ଗେଟ ଦେଲା ମୁମ୍ବାଇ
ମୁମ୍ବାଇ: ଆଜି ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ମୁକାବିଲା ହେଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲେ। ହେଲେ ଦଳ ଏଥର ବି ଫେଲ୍ ମାରିଛି। ଚୀର ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଲଢ଼େଇ କରିଛନ୍ତି ଯୁବ ତାରକା ତିଲକ ବର୍ମା। ସେ ଅପରାଜିତ ୫୧ ରନ୍ର ଇନିଂସ ଖେଳିବାରୁ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୫୫ ରନ୍ କରିଛି। ଫଳରେ ଚେନ୍ନାଇକୁ ଏହି ମ୍ୟାଚ ଜିତିବା ପାଇଁ ୧୫୬ ରନ୍ର ଟାର୍ଗେଟ ମିଳିଛି। ମୁମ୍ବାଇ ଏଯାଏ ଚଳିତ ଆଇପିଏଲରେ ଗୋଟିଏ ହେଲେ ବି ମ୍ୟାଚ୍ ଜିତିନି। ସେହିପରି ଚେନ୍ନାଇ ମଧ୍ୟ ୬ଟି ମ୍ୟାଚ୍ରୁ ଗୋଟିଏରେ ଜିତିବାକୁ ସକ୍ଷମ ହୋଇଛି।
ମୁମ୍ବାଇ ପକ୍ଷରୁ ତିଲକ ବର୍ମା(୫୧)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର୍ କରିପାରି ନଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମ୍ବମ୍ବାଇ ଇଣ୍ଡିଆନ୍ସ ୱିକେଟ୍ରୁ ଖାତା ଖୋଲିଥିଲା। ଏଥର ବି ଫେଲ୍ ମାରିଛନ୍ତି ରୋହିତ ଶର୍ମା। ଶୂନରେ ଆଉଟ୍ ହୋଇଛନ୍ତି ମୁମ୍ବାଇ କ୍ୟାପ୍ଟେନ୍। ଚେନ୍ନାଇ ପକ୍ଷରୁ ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିବା ମୁକେଶ ଚୌଧୁରୀଙ୍କ ଦ୍ୱିତୀୟ ବଲ୍ରେ ସାଣ୍ଟେରକୁ କ୍ୟାଚ୍ ଦେଇ ଆଉଟ୍ ହୋଇଛନ୍ତି ରୋହିତ୍। ରୋହିତଙ୍କ ପରେ ଈଶାନ ବି ନିରାଶ କରିଛନ୍ତି। ସେ ବି ଖାତା ଖୋଲି ନପାରି ମୁକେଶ ଚୌଧୁରୀଙ୍କ ବଲ୍ର ଆଉଟ ହୋଇଛନ୍ତି। ସେହିପରି ତୃତୀୟ ୱିକେଟ୍ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଡିୱାଲ୍ଡ ବ୍ରେଭିସ୍ ବି ଖୁବ୍ଶୀଘ୍ର ପ୍ୟାଭିଲିୟନକୁ ଫେରିଯାଇଥିଲେ। ୩ ଓଭର ଖେଳ ଚାଲିଥିବା ବେଳେ ବ୍ରେଭିସ୍(୪)ବି ମୁକେଶ ଚୌଧୁରୀଙ୍କ ବଲ୍ରେ ଆଉଟ୍ ହୋଇଛନ୍ତି। ଏହି ସମୟରେ ଦଳ ଶେଷ ୨୩ ରନ୍ରେ ଦଳ ୩ ୱିକେଟ ହରାଇ ସାରିଥିଲା। ପୁଣି ୭ ଓଭର ଖେଳ ବେଳକୁ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ପଡ଼ିଥିଲା। ସେ ୨୧ ବଲ୍ ଖେଳି ୩୨ ରନ୍ କରିଥିଲେ। ତାଙ୍କ ୱିକେଟ୍ ବି ମୁକେଶ ଚୌଧୁରୀ ନେଇଥିଲେ। ଏହାପରେ ତିଲକ ବର୍ମା ଓ ହ୍ରିତିକ ଶୋକୀନ ୧୩ ପର୍ଯ୍ୟନ୍ତ ଖେଳ ଜାରି ରଖିଥିଲେ। କିନ୍ତୁ ୧୩.୩ ଓଭର୍ରେ ହ୍ରିତିକଙ୍କର ୱିକେଟ୍ ପଡ଼ିଥିଲା। ସେ ୨୫ ବଲ୍ ଖେଳି ୨୫ ରନ୍ କରିଥିବା ବେଳେ ଡ୍ୱେନ୍ ବ୍ରାଭୋଙ୍କ ବଲ୍ରେ ଉତ୍ଥପ୍ପାଙ୍କୁ କ୍ୟାଚ୍ ଦେଇଥିଲେ।
ମୁମ୍ବାଇର ହିଟ୍ ମ୍ୟାନ୍ କୁହାଯାଉଥିବା କାଇରନ ପୋଲାର୍ଡବି ଦଳକୁ ବଡ଼ ସ୍କୋର୍ କରିବାରେ ବଡ଼ ସହଯୋଗ କରିପାରି ନଥିଲେ। ୧୬.୨ ଖେଳ ଚାଲିଥିବା ବେଳେ ତାଙ୍କ ୱିକେଟ୍ ପଡ଼ିଥିଲା। ସେ ୧୪ ରନ୍ କରି ଏମ୍. ତୀଖ୍ଶାନାଙ୍କ ଶିକାର ହୋଇଥିଲେ। ଦଳ ୧୬ ଓଭର ଶେଷ ବେଳକୁ ୧୧୯ ରନ୍ କରିଥିବା ବେଳେ ୬ ୱିକେଟ୍ ହରାଇ ସାରିଥିଲା। ପୁଣି ୧୭ ଓଭରରେ ଡାନିଏଲ ସାମ୍ସ ଆଉଟ ହୋଇଥିଲେ। ସେ ମାତ୍ର ୫ ରନ୍ କରି ବ୍ରାଭୋଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ତେବେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲେ ତିଲକ ବର୍ମା। ତାଙ୍କ ସହଯୋଗ ଦେଇଥିଲେ ଜୟଦେବ ଉନଡକଟ। ଦୁହେଁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ସ୍କୋର ୧୫୫ ପର୍ଯ୍ୟନ୍ତ ପହଞ୍ଚାିଇଥିଲେ। ତିଲକ ୫୧ ରନ୍ କରିଥିବା ବେଳେ ଜୟଦେବ ୧୯ ରନ୍ କରି ନଟ୍ଆଉଟ ରହିଛନ୍ତି। ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ବ୍ରାଭୋ-୨, ମାଇକେଲ ସାଣ୍ଟେର ୧ ଓ ମହେଶ ତୀଖ୍ସାନା ମଧ୍ୟ ଗୋଟିଏ ୱିକେଟ୍ ଲେଖାଁ ୱିକେଟ ନେଇଛନ୍ତି।
