ଆଇପିଏଲ-୨୦୨୧ : ୨ ରନରେ ଜିତିଲା ରାଜସ୍ଥାନ
ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୩୨ତମ ମ୍ୟାଚରେ ଶେଷ ଓଭରରେ ଓଲଟିଲା ଖେଳ । ଫିକା ପଡିଲା ମୟଙ୍କ ଓ ରାହୁଲଙ୍କ ଭାଗିଦାରୀ ଶତକୀୟ ଇନିଂସ । ୧୯ ଓଭର ପର୍ଯ୍ୟନ୍ତ ବିଜୟର ଦ୍ଵାର ଦେଶରେ ଥିବା ପଞ୍ଜାବ କିଙ୍ଗ୍ସ ଶେଷ ଓଭରରେ ଝୁଣ୍ଟିଲା ଆଉ ୪ ରନ ମଧ୍ୟ ସଂଗ୍ରହ କରିପାରିନଥିଲା। ଆଉ ଜିତିବା ମ୍ୟାଚ୍କୁ ହାତଛଡା କଲା ପଞ୍ଜାବ। ଶେଷ ଓଭରରେ କାର୍ତ୍ତିକ ତ୍ୟାଗି ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍ର ମଙ୍ଗ ରାଜସ୍ଥାନ ଆଡକୁ ମୋଡିବା ସହ ଦଳକୁ ବିଜୟୀ କରାଇଛନ୍ତି। ଶେଷରେ ରୋମାଞ୍ଚକର ମୁକାବିଲାରେ ୨ ରନରେ ବାଜିମାରି ନେଲା ରାଜସ୍ଥାନ ।
ପଞ୍ଜାବ ଟସ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନ ପକ୍ଷରୁ ଓପନର ଇଭିନ୍ ଲୁଇସ୍ ଏବଂ ଜଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ । ଲୁଇସ୍ ୨୧ ବଲ ଖେଳି ୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୩୬ ରନ କରି ଆଉଟ ହୋଇଥିଲେ । ଅନ୍ୟ ପଟେ ଜୟସ୍ବାଲ ବିସ୍ଫୋରକ ବ୍ୟାଟିଂ ଜାରି ରଖି ୩୬ ବଲରେ ୬ ଚୌକା ଏବଂ ୨ଟି ଛକା ସହାୟତାରେ ୪୯ ରନ କରି ଆଉଟ ହୋଇଥିଲେ । ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇପାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସଞ୍ଜୁ ସାମସନ୍ ୪ରନ, ଲିୟାମ୍ ଲିଭିଙ୍ଗଷ୍ଟୋନ୍ ୨୫ ରନ କରି ଆଉଟ ହୋଇଛନ୍ତି । ମହିପାଲ ଲୋମରର୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୭ ବଲରେ ୨ ଚୌକା ଏବଂ ୪ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଛନ୍ତି । ରିୟାନ ପରାଗ ୪ ରନ, ରାହୁଲ ତେଓ୍ବାତିୟା୨ ରନ, କ୍ରିସ୍ ମୋରିସ୍ ୫ ରନ, ଚେତନ୍ ସକାରିୟା ୭ ରନ, କାର୍ତ୍ତିକ୍ ତ୍ୟାଗି ୧ ରନ କରି ଆଉଟ ହୋଇଥିବା ବେଳେ ମୁସ୍ତଫିଜୁର ରେହମାନ ୦ ଏବଂ ରନ କରି ଅପରାଜିତ ଅଛନ୍ତି । ପଞ୍ଜାବ କିଙ୍ଗସ୍ ପକ୍ଷରୁ ମହମ୍ମଦ ସାମୀ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୨୧ ରନ ଦେଇ ୩ଟି ଓ୍ବିକେଟ୍ ନେଇଛନ୍ତି । ସେହିଭଳି ଇଶାନ୍ ପୋରେଲ ୪ ଓଭରରେ ୩୯ ରନ ୧ ଓ୍ବିକେଟ୍, ଦୀପକ ହୁଡ୍ଡା ବ୍ୟୟବହୁଳ ସାବ୍ୟସ୍ତ ହୋଇ ୨ ଓଭରରେ ୩୭ରନ, ଅର୍ଷଦୀପ ସିଂହ ୪ ଓଭରରେ ୩୨ ରନ ୫ ଓ୍ବିକେଟ୍, ଆଦିଲ ରସୀଦ ୩ ଓଭରରେ ୩୫ ରନ ଏବଂ ହରପ୍ରୀତ୍ ବରାର ୩ ଓଭରରେ ୧୭ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।
୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦମଦାର ଆରମ୍ଭ କରିଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଖ୍ୟାତି ମୁତାବକ ବ୍ୟାଟିଂ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଦୁଇ ଓପନର ରାଜସ୍ଥାନ ରୟାଲ୍ସ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହି କ୍ରମରେ ମୟଙ୍କ ଅଗ୍ରଓ୍ଵାଲ ଅର୍ଦ୍ଧଶତକ ହାସଲ କରିଥିଲେ। କେଏଲ ରାହୁଲ ୩୩ ବଲ୍ରୁ ୪ ଚୌକା ଓ ୨ ଛକା ସହ ୪୯ ରନ କରି ଆଉଟ୍ ହୋଇଛନ୍ତି। ଏଥିସହ ଅଗ୍ରଓ୍ଵାଲଙ୍କ ସହ ପ୍ରଥମ ଓ୍ଵିକେଟ୍ରେ ୧୧.୫ ଓଭରରେ ୧୨୦ ରନ ଯୋଡି ଦଳର ବିଜୟରେ ମୂଳଦୁଆ ପକାଇଥିଲେ। ଏହାପରେ ମୟଙ୍କ ୪୩ ବଲ୍ରୁ ୭ ଚୌକା ଓ ୨ ଛକା ସହ ୬୭ ରନ କରି ଆଉଟ୍ ହୋଇଥିଲେ। ତଥାପି ଦଳ ମ୍ୟାଚ୍ ହାରିଛି। ମାକ୍ରମ ୨୬ ଏବଂ ପୂରନ ୩୩ ରନ କରି ଆଉଟ୍ ହେବା ପରେ ପଞ୍ଜାବ କିଙ୍ଗ୍ସ ବିଜୟଠୁ ଦୂରେଇ ଯାଇଥିଲା। ଶେଷ ଓଭରରେ ଦଳ ୪ ରନ ମଧ୍ୟ କରି ପାରିନଥିଲା। ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୩ ରନ କରି ବିଜୟଠୁ ୨ ରନ ଦୂରରେ ରହିିଗଲା।
