ଆଇପିଏଲ-୨୦୨୧ : ହାଇଦ୍ରାବାଦକୁ ୫ ରନରେ ହରାଇଲା ପଞ୍ଜାବ
ସାରଜା : ସାରଜା କ୍ରିକେଟ୍ ଷ୍ଟାଡିୟମରେ ଶନିବାର ଆଇପିଏଲ ୨୦୨୧ର ୩୭ତମ ମ୍ୟାଚରେ ପଞ୍ଜାବ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ହାଇଦ୍ରାବାଦକୁ ୫ ରନରେ ହରାଇଲା ପଞ୍ଜାବ। ଚଳିତ ଆଇପିଏଲରେ ଉଭୟ ହାଇଦ୍ରାବାଦ ଓ ପଞ୍ଜାବ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଫଳରେ ପଏଣ୍ଟ ଟେବୁଲରେ ଉଭୟ ଦଳ ଯଥାକ୍ରମେ ତଳଆଡ଼ୁ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳ ଭଲ ଆରମ୍ଭ କରିଥିଲେ ବି ପରବର୍ତ୍ତି ସମୟରେ ତାହାକୁ ବଜାୟ ରଖିପାରିନଥିଲା । ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଓପନିଂ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଲୋକେଶ ରାହୁଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଫେଲ ମାରିଥିଲେ । ସେ ମାତ୍ର ୫ରନ କରି ଆଉଟ ହୋଇଥିଲେ । ସେହିଭଳି କ୍ରିସ୍ ଗେଲ ୧୪, ଆଦେନ୍ ମାର୍କରମ୍ ୨୭, ନିକୋଲାସ୍ ପୁରନ ୮ରନ, ଦୀପକ ହୁଡ୍ଡା ୧୩ ରନ, ନାଥାନ୍ ଇଲ୍ଲିସ୍ ୧୨ରନ କରି ଆଉଟ ହୋଇଛନ୍ତି । ହରପ୍ରୀତ ବରାର୍ ୧୮ ଏବଂ ମହମ୍ମଦ ସାମୀ ୦ ରନ କରି ଅପରାଜିତ ଅଛନ୍ତି । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୪ ଓଭରରେ ୩୪ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଜେସନ୍ ହୋଲଡର ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୯ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ସନ୍ଦୀପ ଶର୍ମା ୪ ଓଭରରେ ୨୦ରନ ଦେଇ ୧ ଓ୍ବିକେଟ, ଖଲୀଲ ଅହମ୍ମଦ ୩ ଓଭରରେ ୨୨ରଦ, ରାସିଦ ଖାନ ୪ ଓଭରରେ ୧୭ରନ ଦେଇ୧ ଓ୍ବିକେଟ୍ ଏବଂ ଅବଦୁଏ ସମାଦ ଗୋଟିଏ ଓଭର ବୋଲିଂ କରି ୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୭ ୱିକେଟ ହରାଇ ୧୨୦ ରନ୍ କରି ପରାଜୟ ବରଣ କରିଛି । ପଞ୍ଜାବ ପକ୍ଷରୁ ରବି ବିଷ୍ନୋଇ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ଓ ଅର୍ଶଦୀପ ସିଂ ଗୋଟିଏ ୱିକେଟ ନେଇ ପଞ୍ଜାବକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ପଞ୍ଜାବ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପଞ୍ଚମରେ ରହିଛି । ଅନ୍ୟପଟେ ହାଇଦ୍ରାବାଦ ୯ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିବାରେ ସକ୍ଷମ ହୋଇପାରିଛି ।
