ଆଇପିଏଲ-୨୦୨୧ : ରାଜସ୍ଥାନକୁ ହରାଇ ଟେବୁଲ ଶୀର୍ଷରେ ଦିଲ୍ଲୀ
ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଶନିବାର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି । ଆଜିର ବିଜୟରେ ୧୬ ପଏଣ୍ଟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷକୁ ପହଞ୍ଚିଯାଇଛି ।
ଟସ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ କରିଥିଲା । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍ ଆୟର ଏବଂ ସିମ୍ରନ୍ ହେଟମାୟରଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୫୪ ରନ । ରାଜସ୍ଥାନକୁ ଜିତିବାକୁ ହେଲେ ୧୫୫ ରନ ସଂଗ୍ରହ କରିବାକୁ ଆବଶ୍ୟକ ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନର ପଥ୍ବୀ ସ’ ଏବଂ ଶିଖର ଧାଓ୍ବନ୍ ଦଳକୁ ନିରାଶ କରିଥିଲେ । ବ୍ୟକ୍ତିଗତ ଭାବେ ପୃଥ୍ବୀ ସ’ ୧୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୮ ରନ କରି ଆଉଟ ହୋଇଥିଲେ । ସେହିଭଳି ଶ୍ରେୟସ ଆୟର ଚମତ୍କାର ଇନିଂସ ଖେଳି ୩୨ ବଲରେ ଗୋଟିଏ ଚୌକା ଏବଂ ୨ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୪ ରନ, ସିମ୍ରନ୍ ହେଟମାୟର ୨୮ ରନ, ଅକ୍ଷର ପଟେଲ ୧୨ ରନ କରି ଆଉଟ ହୋଇଛନ୍ତି । ଲଳିତ ଯାଦବ ୧୪ ଏବଂ ରବିଚନ୍ଦ୍ରନ ଅଶ୍ବିନ ୬ ରନ କରି ଅପରାଜିତ ରହିଥିଲେ । ରାଜସ୍ଥାନ ପକ୍ଷରୁ ତବରିଜ୍ ସାମସୀ ୪ ଓଭରରେ ୩୪ ରନ ଦେଇଥିବା ବେଳେ, ମହିପାଲ ଲୋମରୋର୍ ୧ ଓଭରରେ ୫ ରନ, କାର୍ତ୍ତିକ ତ୍ୟାଗୀ ୪ ଓଭରରେ ୪୦ ରନ ୧ ଓ୍ବିକେଟ୍, ଚେତନ ସକାରିୟା ୪ ଓଭରରେ ୩୩ ରନ ୨ ଓ୍ବକେଟ, ମୁସ୍ତଫିଜୁର ରେହମାନ ୪ଓଭରରେ ୨୨ ରନ ୨ ଓ୍ବିକେଟ, ରାହୁଲ ତେଓ୍ବାତିୟା ୩ ଓଭରରେ ୧୭ ରନ ଦେଇ ୧ ଓ୍ବିକେଟ ନେଇଥିଲେ । ୧୫୫ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୨୧ରନ ହିଁ କରିପାରିଥିଲା । ରାଜସ୍ଥାନର ଅଧିନାୟକ ସଂଜୁ ସାମସନ ଲଢୁଆ ୭୦ ରନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ନିଜ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ ।
