ଆଇପିଏଲ-୨୦୨୧ : ଆଜି ସିଏସ୍କେ-କେକେଆର୍ ମୁକାବିଲା
ଆବୁଧାବି : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୧ରେ ଦ୍ଵିତୀୟ ଚରଣରେ ରବିବାର ଡବଲ ମ୍ୟାଚ ଦେଖିବାକୁ ମିଳିବ। ଆବୁଧାବିରେ ଖେଳାଯିବାକୁ ଥିବା ଅପରାହ୍ନ ମ୍ୟାଚ୍ରେ ଚର୍ଚ୍ଚିତ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)କୁ ଆତ୍ମବିଶ୍ବାସଭରା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଭେଟିବ। ସେହିଭଳି ରାତି ମ୍ୟାଚ୍ରେ ପ୍ରଥମ ଟ୍ରଫି ସନ୍ଧାନରେ ଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରୋହିତ ଶର୍ମାଙ୍କ ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ବେଶ୍ ଉତ୍କଣ୍ଠାଭରା ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ଯୁଗଳ ମୁକାବିଲାରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦକୁ ପଞ୍ଜାବ କିଙ୍ଗ୍ସ ଭେଟିଥିଲା।
‘ଆଇପିଏଲ୍-୨୦୨୧’ର ୩୮ତମ ମ୍ୟାଚ୍ରେ ରବିବାର ପରସ୍ପରର ମୁକାବିଲା କଲା ବେଳେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିଜୟଧାରାକୁ ଜାରି ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଉଭୟ ଦଳ ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ଏଣୁ ସିଏସ୍କେ ତାର ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଳିଷ୍ଠ ନେତୃତ୍ବରେ ହ୍ୟାଟ୍ରିକ୍ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ନୂଆ ଆତ୍ମବିଶ୍ବାସ ଏବଂ ନୂତନ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇଥିବା କେକେଆର୍ ମଧ୍ୟ ଆଉ ଏକ ମନୋବଳବୃଦ୍ଧିକାରୀ ବିଜୟ ହାସଲ କରି ପ୍ଲେ ଅଫ୍ର ଅନ୍ୟତମ ଦାବିଦାର ହେବାକୁ ଚେଷ୍ଟା କରିବ। କେକେଆର୍ ପାଇଁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି। କାରଣ ସେ ସବୁବେଳେ ସିଏସ୍କେ ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇ ଆସିଛନ୍ତି। ଅତିରିକ୍ତ ଉଚ୍ଛାଳ ଏବଂ ଅପ୍ରତ୍ୟାଶିତ କୋଣରୁ ବୋଲିଂ କରି ସିଏସ୍କେର ଯୁବ ଓପନର ଋୁତରାଜ ଗାଏକ୍ବାଡ୍, ଫାଫ୍ ଡୁ’ପ୍ଲେସିସ୍, ଅମ୍ବାତି ରାୟୁଡୁ, ସୁରେଶ ରାଇନା ଏବଂ ସ୍ବୟଂ ଧୋନିଙ୍କୁ ପରୀକ୍ଷାରେ ପକାଇବାର ଦକ୍ଷତା ରଖନ୍ତି ସେ। ସିଏସ୍କେ ତାର ପ୍ରଥମ ଦୁଇ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ଏବଂ ଆର୍ସିବିକୁ ୭ ୱିକେଟ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ କେକେଆର୍ ୯ ଓ ୭ ୱିକେଟ୍ରେ ଯଥାକ୍ରମେ ଆର୍ସିବି ଏବଂ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। ପଏଣ୍ଟ ତାଲିକାରେ କିନ୍ତୁ ସିଏସ୍କେ ୯ ମ୍ୟାଚ୍ରୁ ୧୪ ପଏଣ୍ଟ ପାଇ କେକେଆର୍ଠାରୁ ଯଥେଷ୍ଟ ଆଗରେ ରହିଛି। କେକେଆର୍ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନ (ଦିଲ୍ଲୀ-ରାଜସ୍ଥାନ ମ୍ୟାଚ୍ ପୂର୍ବରୁ)ରେ ଅଛି। ସିଏସ୍କେର ବ୍ୟାଟିଂ ସହ ବୋଲିଂ ବାହିନୀ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। ସିଏସ୍କେ ବି ଉଭୟ ବର୍ଗରେ ବହୁତ ଭଲ କରିଛି। ଦୁଇ ଦଳର ଅଧିନାୟକ ଧୋନି ଓ ଇଅନ ମୋର୍ଗାନ କିନ୍ତୁ ଏପର୍ଯ୍ୟନ୍ତ ଆଶାଜନକ ପ୍ରଦର୍ଶନ କରିପାରି ନାହାନ୍ତି। ଏଣୁ ରବିବାର ଫର୍ମକୁ ଫେରିବା ଆଶାରେ ରହିବେ। ସିଏସ୍କେ ଓ କେକେଆର୍ ପରସ୍ପର ମଧ୍ୟରେ ୨୪ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ସିଏସ୍କେ ୧୫ ମ୍ୟାଚ୍ ଜିତିଥିଲା ବେଳେ କେକେଆର୍ ମାତ୍ର ୮ ମ୍ୟାଚ୍ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି।
ସମ୍ଭାବ୍ୟ ସିଏସ୍କେ ଏକାଦଶ: ଋତୁରାଜ ଗାଏକ୍ବାଡ୍, ଫାଫ୍ ଡୁ’ପ୍ଲେସିସ୍, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ଏମଏସ୍ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ, ଶାର୍ଦୁଳ ଠାକୁର, ଦୀପକ ଚହର, ଜୋସ୍ ହାଜେଲଉଡ୍।
ସମ୍ଭାବ୍ୟ କେକେଆର୍ ଏକାଦଶ: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଇଏନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଲୋକି ଫର୍ଗୁସନ୍, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା।
