ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଦେଶଦ୍ରୋହ ଠାରୁ କମ୍ ନୁହେଁ : ଡ. ଲେଖାଶ୍ରୀ
ରାଷ୍ଟ୍ରପତିଙ୍କୁ ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କ ଅସମ୍ମାନ
ଭୁବନେଶ୍ୱର : ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ନେଇ ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ମମତା ବାନାର୍ଜୀଙ୍କ ମହିଳା ସଶକ୍ତିକରଣ ନାଁରେ ନାରୀଶକ୍ତିକୁ ଅବମାନନାର ଚରମ ନିଦ୍ଦର୍ଶନ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଅସମ୍ମାନ ଦେଶଦ୍ରୋହଠାରୁ କୌଣସି ମାତ୍ରାରେ କମ୍ ନୁହେଁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଭଳି ଅତ୍ୟନ୍ତ ଘୃଣ୍ଣ୍ୟ ଓ ନିନ୍ଦନୀୟ ଆଚରଣ ପାଇଁ ଶ୍ରୀ ଗିରିଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରାଯାଇ ଗିରଫ କରିବାକୁ ଡ. ଲେଖାଶ୍ରୀ ଦାବି କରିଛନ୍ତି । ଜଣେ ମହିଳା, ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଟିପ୍ପଣୀ ଦେବା ସଭ୍ୟ ସମାଜ ଓ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ଟିଏମ୍ସି ମନ୍ତ୍ରୀ ଅଖିଳ ଗିରିଙ୍କର ଏହି ଅଶାଳୀନ ମନ୍ତବ୍ୟମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଦଳକୁ ମହିଳା, ଜନଜାତି ବିରୋଧୀ ପ୍ରମାଣିତ କରିଛି ।ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଏବଂ କୌଣସି ବ୍ୟକ୍ତି ବିଶେଷ ସହ ତୁଳନା କରିବା ଅନୁଚିତ ଏବଂ ଅଶୋଭନୀୟ । ଏହି ପଦବୀର ଗାରିମା ଅକ୍ଷୁର୍ଣ୍ଣ ରଖିବା ଦେଶର ସମସ୍ତ ନାଗରିକ ଏବଂ ରାଜନୈତିକ ଦଳମାନଙ୍କର ସାମ୍ବିଧାନିକ ଦାୟିତ୍ୱ । ଅଖିଳ ଗିରିଙ୍କ ମନ୍ତବ୍ୟ ଏହାର ପରିପନ୍ଥୀ ଏବଂ ଦେଶର଼ ୧୩୦କୋଟି ଜନତାଙ୍କ ମନରେ ଆଘାତ ପହଂଚାଇଛି । ଦେଶର ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାର ପ୍ରଶ୍ନବାଚୀ, ଟିପ୍ପଣୀ ବା ଆଙ୍ଗୁଳି ନିର୍ଦ୍ଦେଶ କରିହେବ ନାହିଁ । ଏଣୁ ପଦବୀର ଗାରିବା କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରିଥିବା ଅଖିଳ ଗିରିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ତୃଣମୂଳ କଂଗ୍ରେସ ପ୍ରମାଣିତ କରିଛି ଜଣେ ଗୌରବମୟୀ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା ସେମାନଙ୍କର ସହ୍ୟ ହେଉନାହିଁ । ଏହା ଏକ ଦଣ୍ଡନୀୟ ଏବଂ ଅକ୍ଷ୍ୟମଣୀୟ ଅପରାଧ ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ଅଶୋଭନୀୟ ଆଚରଣ ବିରୋଧରେ ସମଗ୍ର ୧୩୦ କୋଟି ଦେଶବାସୀ ଏବଂ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠୁଛି । ଦେଶବାସୀ ଉତ୍କ୍ଷିପ୍ତ ଯେ, ତାଙ୍କ ପ୍ରିୟ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାର ଦୃଶାହସ ତୃଣମୂଳ କରିଛି । ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ସମସ୍ତ ଜିଲ୍ଲାରେ ଅଭିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ କୁଶପୂତୋଳିକା ଦାହ ସହ ପ୍ରତିବାଦ ହେବ ଏବଂ ଥାନାରେ ଏଫାୟାର ଦର୍ଜ କରାଯିବ ବୋଲି ଡ. ଲେଖାଶ୍ରୀ ସୂଚନା ଦେଇଛନ୍ତି ।
