ଇନଷ୍ଟାଗ୍ରାମରେ ନୂତନ ଉପକରଣ ! ମୁହଁ ଦେଖି କହିବ ବୟସ, ଜାଣନ୍ତୁ ଦୁଇଟି ପଦ୍ଧତି
ନୂଆଦିଲ୍ଲୀ : ଏଣିକି ମୁହଁ ଦେଖି ଆପଣଙ୍କ ବୟସ କହିବ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ। ଉପଭୋକ୍ତାଙ୍କ ବୟସ ଯାଞ୍ଚ କରିବା ପାଇଁ ଇନଷ୍ଟାଗ୍ରାମ ଏକ ନୂଆ ଟୁଲର ପରୀକ୍ଷଣ କରାଯାଉଥିବା ମେଟା କହିଛି। ମେଟା କହିଛି ଯେ, ଇନଷ୍ଟାର ନୂଆ ଟୁଲ୍ ଜଣେ ବ୍ୟକ୍ତିଙ୍କ ବୟସ ଯାଞ୍ଚ କରିବା ପାଇଁ ଦୁଇଟି ନୂତନ ଉପାୟ ପରୀକ୍ଷା କରୁଛି। ଏହା ବ୍ୟତୀତ ୟୁଜର୍ସଙ୍କୁ ସେମାନଙ୍କର ପରିଚୟ ପ୍ରମାଣ ଅନଲାଇନରେ ଅପଲୋଡ୍ କରିବାକୁ ଅନୁମତି ଦେବ।
ମେଟାର ଡାଟା ସର୍ଭିସର ନିର୍ଦ୍ଦେଶକ ଏରିକା ଫିଙ୍କଲ୍ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି, “ଯେତେବେଳେ ଆମେ ଜାଣୁ ଯେ, କେହି ଜଣେ କିଶୋର (୧୩-୧୭ ବର୍ଷ), ଆମେ ସେମାନଙ୍କୁ ବୟସ-ଅନୁକୂଳ ଅନୁଭୂତି ପ୍ରଦାନ କରିଥାଉ ଯେପରିକି, ସେମାନଙ୍କୁ ବ୍ୟକ୍ତିଗତ ଆକାଉଣ୍ଟରେ ଡିଫଲ୍ଟ କରିବା, ବୟସ୍କଙ୍କ ଠାରୁ ଅବାଞ୍ଛିତ ସମ୍ପର୍କକୁ ରୋକିବା ଏବଂ ବିଜ୍ଞାପନଦାତାଙ୍କ ନିକଟରେ ପହଞ୍ଚିବାକୁ ଥିବା ବିକଳ୍ପକୁ ସୀମିତ କରିବା।’ ଇନଷ୍ଟାଗ୍ରାମ କହିଛି ଯେ, ୟୁଜର୍ସଙ୍କ ଗୋପନୀୟତା ନିଶ୍ଚିତ କରିବାକୁ ଅନଲାଇନ୍ ବୟସ ଯାଞ୍ଚରେ ବିଶେଷଜ୍ଞ ଥିବା ଏକ କମ୍ପାନୀ ୟୋଟି ସହିତ ସହଭାଗୀ ହୋଇଛି।
ବୟସ ଯାଞ୍ଚର ଦୁଇଟି ପଦ୍ଧତି :
ୟୁଜର୍ସ ସେମାନଙ୍କର ବୟସ ଯାଞ୍ଚ କରିବାକୁ ଏକ ଭିଡିଓ ସେଲଫି ଅପଲୋଡ୍ କରିପାରିବେ। ଯାହା ପରେ Yotiର ଟେକ୍ନୋଲୋଜି ସେମାନଙ୍କ ବୟସ ଆକଳନ କରିବ। ବୟସ ଯାଞ୍ଚ ହେବା ପରେ ଉଭୟ ମେଟା ଏବଂ Yoti ଫଟୋଗୁଡିକୁ ଡିଲିଟ କରିବେ ବୋଲି ଇନଷ୍ଟାଗ୍ରାମ କହିଛି।
ଅନ୍ୟ ଏକ ବିକଳ୍ପ ହେଉଛି, ଉପଭୋକ୍ତାଙ୍କର ବୟସ ନିଶ୍ଚିତ କରିବାକୁ ତିନୋଟି ପାରସ୍ପରିକ ଅନୁସରଣକାରୀ (ଫଲୋର୍ସ) ବାଛିବା ପାଇଁ, ଏବଂ ଭାଉଚ୍ କରୁଥିବା ବ୍ୟକ୍ତି ଅତିକମରେ ୧୮ ବର୍ଷ ହୋଇଥିବା ଆବଶ୍ୟକ।
ଗତବର୍ଷ ଛୋଟ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଇନଷ୍ଟାଗ୍ରାମ କିଡ୍ସ ଆଣିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଲୋକଙ୍କ ସମାଲୋଚନା ଓ ବିରୋଧ ପରେ ପ୍ରକଳ୍ପରୁ ସ୍ଥଗିତ ରଖିଥିଲା ଇନଷ୍ଟାଗ୍ରାମ କିଡ୍ସରେ ଯୋଗଦେବା ପାଇଁ ପିତାମାତାଙ୍କ ଅନୁମତି ଆବଶ୍ୟକ ବୋଲି କୁହାଯାଉଥିଲା ଏବଂ ବିଜ୍ଞାପନମୁକ୍ତ, ବୟସ ଅନୁଯାୟୀ ବିଷୟବସ୍ତୁ ପ୍ରଦାନ କରାଯିବାର ଥିଲା। କିନ୍ତୁ ଆମେରିକାର ଆଇନଜୀବୀ ଗୋଷ୍ଠୀ କମ୍ପାନୀକୁ ଇନଷ୍ଟାଗ୍ରାମ କିଡ୍ସ ଲଞ୍ଚ ନ କରିବାକୁ ଅନୁରୋଧ କରିଥିଲେ।
