ବଢୁଛି ସଂକ୍ରମଣ : ପଶ୍ଚିମବଙ୍ଗ ସୋନାରପୁରରେ ୩ ଦିନ ପାଇଁ ଲକ୍ଡାଉନ୍
କୋଲ୍କାତା : ପଶ୍ଚିମବଙ୍ଗରେ ପୁଣି ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ। ଫଳରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ସୋନାରପୁର ପୌରାଞ୍ଚଳରେ ୩ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ରାଜଧାନୀ କୋଲ୍କାତା ଠାରୁ ପ୍ରାୟ ୨୦ କିଲୋମିଟର୍ ଦୂରରେ ସୋନାରପୁର ଅବସ୍ଥିତ। ଲକ୍ଡାଉନ୍ ସମୟରେ ସେ ଅଞ୍ଚଳରେ କେବଳ ଜରୁରୀକାଳୀନ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ଏଯାବତ୍ ସୋନାରପୁର ଅଞ୍ଚଳରେ ୧୯ଟି କଣ୍ଟେନ୍ମେଣ୍ଟ୍ ଜୋନ୍ ରହିଥିବା ଜଣାପଡ଼ିଛି।
ଦୁର୍ଗାପୂଜା ଉତ୍ସବ ପରେ ପରେ ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବା ହେତୁ ଚିନ୍ତା ପ୍ରକଟ କରି ‘ଦି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମ୍ଆର୍) ପଶ୍ଚିମବଙ୍ଗ ସରକାରଙ୍କୁ ପତ୍ର ଲେଖିଛି। ଚିଠିରେ ‘ଆଇସିଏମ୍ଆର୍’ ଉଲ୍ଲେଖ କରିଛି ଯେ, ଦୁର୍ଗାପୂଜା ବେଳୁ କୋଲ୍କାତାରେ କୋଭିଡ୍-୧୯ ସଂକ୍ରମଣ ମାମଲା ପ୍ରାୟ ୨୫% ବୃଦ୍ଧି ପାଇଛି।
