ଆଜିର ଦିନରେ ଗିରଫ ହେଇଥିଲେ ଇନ୍ଦିରା ଗାନ୍ଧି, କ’ଣ ଥିଲା ସେ ‘ଜିପ୍ ସ୍କାମ୍’ ଜାଣନ୍ତୁ ଏଇଠି
ନୂଆଦିଲ୍ଲୀ : ଦୁର୍ନୀତିକୁ ନିଜ ଅଙ୍ଗ ଭାବେ ଧାରଣ କରିଥିବା ଭାରତ ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୧୯୭୭ ମସିହାର ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଚର୍ଚ୍ଚାରେ ଥିଲେ। ଅନେକ ନେତାଙ୍କୁ ସେ ଜେଲ୍ ଭିତରକୁ ପଠାଇଥିଲେ। ଏହାକୁ ଅନେକ ରାଜନୀତିକ ଦଳ ଆଜି ଯାଏ ଏକ କଳା ଦିବସ ଭାବେ ପାଳନ କରୁଛି। ଏହା ଏଠାରେ ଚର୍ଚ୍ଚାର ବିଷୟ ନୁହେଁ, ପ୍ରସଙ୍ଗ ହେଉଛି ଆଜିର ଦିନରେ ଇନ୍ଦିରାଙ୍କୁ କାହିଁକି ଗିରଫ କରାଯାଇଥିଲା, କ’ଣ ଥିଲା ଅପରାଧ ଓ କେମିତି ଥିଲା ସେ ଘଟଣାକ୍ରମ।
ସେତେବେଳେ ନୂଆକରି କ୍ଷମତାକୁ ଆସିଥାନ୍ତି ଜନତା ଦଳ। ପ୍ରଧାନମନ୍ତ୍ରୀ ଭାବେ ଅଳଂକୃତ ହୋଇଥାନ୍ତି ମୋରାରଜୀ ଦେଶାଇ। ଜନତା ଦଳର ପ୍ରଥମ ସରକାରରେ ସେତେବେଳେ ଗୃହମନ୍ତ୍ରୀ ଥାଆନ୍ତି ଚୌଧୁରୀ ଚରଣ ସିଂହ। ନିର୍ବାଚନୀ ଯୁଦ୍ଧ ସମୟରେ ଚୌଧୁରୀ କହି ଆସୁଥିଲେ ଜନତା ଦଳ ଯେତେବେଳେ କ୍ଷମତାକୁ ଆସିବ ସେତେବେଳେ ଇନ୍ଦିରାଙ୍କୁ ଜେଲ୍ ପଠାଯିବ।
ଯେହେତୁ ଚୌଧୁରୀଙ୍କ ଜନତା ଦଳ କ୍ଷମତାକୁ ଆସିଥିଲା, ଏବେ ଆବଶ୍ୟକ ଥିଲା ପ୍ରତିଶୃତି ପୂରଣ କରିବା। ଠିକ୍ ସେଇଆ ହେଲା। କିନ୍ତୁ ବାଟ ଓଗାଳିଲେ ପ୍ରଧାନମନ୍ତ୍ରୀ; କହିଲେ ପ୍ରଥମେ ପ୍ରମାଣ ଠିକ୍ କରାଯାଉ। ନହେଲେ ସାରା ଦେଶ ଆମ ବିରୋଧୀ ହେବ। ଆଉ ଏହି ସମୟରେ ହିଁ ସାମ୍ନାକୁ ଆସିଥିଲା ‘ ଜିପ୍ ସ୍କାମ୍’। ଏହି ଜିପ୍ ସ୍କାମ୍ ଭାରତ ରାଜନୀତିକ ଇତିହାସରେ ଏକ ଚର୍ଚ୍ଚିତ ଅଧ୍ୟାୟ, କ’ଣ ଥିଲା ଏହି ସ୍କାମ୍।
ଏବେ ନିର୍ବାଚନରେ ଜଣେ ପଞ୍ଚାୟତ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରୁଛି ତାହା ଚିନ୍ତା କରି ଅନେକ ଲୋକ ମୁଣ୍ଡରେ ହାତ ଦେଉଛନ୍ତି। ହେଲେ ସେତେବେଳେ ପ୍ରସଙ୍ଗ ଥିଲା ଇନ୍ଦିରାଙ୍କ ନିର୍ବାଚନ ମଣ୍ଡଳୀରେ ଜିପ୍ କିଣା। ନିର୍ବାଚନ ପ୍ରଚାର ଲାଗି ଇନ୍ଦିରା ସେତେବେଳେ ୧୦୦ଟି ଜିପ୍ କିଣିଥିଲେ। ଏହି ଜିପ୍ କଂଗ୍ରେସ ପାର୍ଟି ନିଜ ପକ୍ଷରୁ ନୁହେଁ ବରଂ ବିଭିନ୍ନ ଶିଳ୍ପପତିଙ୍କ ପାଖରୁ ଚାନ୍ଦା ନେଇ କିଣିଥିବା ଅଭିଯୋଗ ହୋଇଥିଲା। ଏହାକୁ ଏକ ବଳିଷ୍ଠ ଅଭିଯୋଗ ଭାବେ ଗ୍ରହଣ କରାଯାଇଥିଲା ଆଉ ଚୌଧୁରୀ ଚରଣ ସିଂହ ଚାହିଁଲେ ଏହି ମାମଲାରେ ଇନ୍ଦିରାଙ୍କୁ ବାନ୍ଧିବେ।
ଦିନ ସ୍ଥିର ହେଲା ଅକ୍ଟୋବର ୧ ତାରିଖରେ ବନ୍ଧାଯିବେ ଇନ୍ଦିରା ଗାନ୍ଧି। ହେଲେ ଚୌଧୁରୀଙ୍କ ପତ୍ନୀ କହିଲେ ନା। ସେଦିନ ଶନିବାର ଏଣୁ ଗିରଫ ଅଧିକ ସମସ୍ୟା ସୃଷ୍ଟି କରିବ। ଏଣୁ ଦିନ ଟାଳି ଦିଆଗଲା। ଏହାପରେ ଅକ୍ଟୋବର ୨ ତାରିଖକୁ ସ୍ଥିର କରାଗଲା କିନ୍ତୁ ତାହା ବି ଟାଳି ଦିଆଗଲା। ଏଦିନ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମ ବାର୍ଷିକୀ ଥିବାରୁ ସେଦିନକୁ ଗ୍ରହଣ କରାଗଲା ନାହିଁ।
ଅକ୍ଟୋବର ୩ ତାରିଖ, ପ୍ରଥମ ଥର ପାଇଁ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତ ହେଲେ ସରକାର। ସକାଳୁ ସକାଳୁ ସିବିଆଇ ପାଖରେ ଏହି ଦୁର୍ନୀତିକୁ ନେଇ ଏତଲା ଦାୟର ହେଲା। ଏତଲାକୁ ଧରି ନିର୍ଦ୍ଦେଶକ ନିଜେ ପହଞ୍ଚିଲେ ଇନ୍ଦିରାଙ୍କ ପାଖରେ। ଆଉ ଗିରଫ ହେଲେ ଦେଶରେ ପ୍ରଥମ ଓ ଆଜିଯାଏ ଏକମାତ୍ର ମହିଳା ଭାବେ ପ୍ରଧାନମନ୍ତ୍ରୀ ଆସନ ଧାରଣ କରିଥିବା ଇନ୍ଦିରା ଗାନ୍ଧି।
ହେଲେ ଗିରଫ ପରେ ଯେତେବେଳେ କେର୍ଟରେ ଇନ୍ଦିରାଙ୍କୁ ଉପସ୍ଥାପନ କରାଗଲା, କୋର୍ଟ ପ୍ରମାଣ ମାଗିଲେ। କିନ୍ତୁ ସିବିଆଇ ଯଥେଷ୍ଟ ପ୍ରମାଣ ଯୋଗାଇପାରିଲା ନାହିଁ। ମାମଲାକୁ ଗ୍ରହଣ କରିବା ଲାଗି ଏହା ଟେକ୍ନିକାଲ ଦୃଷ୍ଟିରୁ ଫିଟ୍ ହେଲା ନାହିଁ ବୋଲି କୋର୍ଟ କହି ଇନ୍ଦିରାଙ୍କୁ ଖଲାସ କରିଥିଲା। ଏହା ଥିଲା ଅକ୍ଟୋବର ୪ ତାରିଖ, ୧୯୭୭ ମସିହା।
