ସ୍ୱଦେଶୀ ସ୍ମାର୍ଟ ଆଂଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ
- ସର୍ବାଧିକ ଲକ୍ଷ୍ୟଭେଦ କ୍ଷମତା ୧୦୦ କିମି
ନୂଆଦିଲ୍ଲୀ : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଂଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ ହୋଇଛି । ଉପଗ୍ରହ ଦିଗ ନିର୍ଣ୍ଣୟ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ଉପରେ ଦୁଇଟି ଭିନ୍ନ ଭିନ୍ନ କନ୍ଫିଗୁରେସନର ସଫଳ ପରୀକ୍ଷଣ ସମ୍ପାଦିତ ହୋଇଥିଲା । ଦେଶରେ ପ୍ରଥମ ଥର ପାଇଁ ଏହି ଶ୍ରେଣୀୟ ବୋମାର ପ୍ରଥମ ଇଲେକ୍ଟ୍ରୋ ଅପ୍ଟିକାଲ ଅନ୍ୱେଷଣ ଆଧାରିତ ବିମାନ ପରୀକ୍ଷଣ ସମ୍ପନ୍ନ କରାଯାଇଛି । ଅକ୍ଟୋବର ୨୮, ୨୦୨୧ ଏବଂ ନଭେମ୍ବର ୩, ୨୦୨୧ରେ ରାଜସ୍ଥାନର ଜୈସାଲମେରସ୍ଥିତ ଚନ୍ଦନ ପରୀକ୍ଷଣ ରେଞ୍ଜ ପରିସରରେ ଭାରତୀୟ ବାୟୁ ସେନାର ଏକ ଯୁଦ୍ଧ ବିମାନରୁ ଏହି ଅସ୍ତ୍ର ପରୀକ୍ଷଣ କରାଯାଇଥିଲା । ଏହି ସିଷ୍ଟମର ଇଲେକ୍ଟ୍ରୋ ଅପ୍ଟିକାଲ କନଫିଗୁରେସନ (ବିନ୍ନ୍ୟାସ)ରେ ଇମେଜିଂ ଇନଫ୍ରା-ରେଡ (ଆଇଆଇଆର) ଅନ୍ୱେଷଣ ପ୍ରଯୁକ୍ତି ରହିଛି ଯାହା ଅସ୍ତ୍ରର ସଠିକ ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କରିଥାଏ । ଉଭୟ ପରୀକ୍ଷଣରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ସର୍ବୋଚ୍ଚ ସ୍ତରର ସଠିକତାର ସହିତ ଭେଦ କରାଯାଇପାରିଥିଲା । ଏହି ସିଷ୍ଟମ ସର୍ବାଧିକ ୧୦୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିପାରିବ । ନୂଆ କରି ବ୍ୟବହୃତ ଲଂଚ,ର୍ ଅସ୍ତ୍ରର ସୁଗମ ନିକ୍ଷେପଣ ଏବଂ ଉତ୍ସର୍ଜନକୁ ସୁନିଶ୍ଚିତ କରିଥିଲା । ଅତ୍ୟାଧୁନିକ ମାର୍ଗଦର୍ଶନ ଓ ନାଭିଗେସନ ଆଲଗୋରିଦମ, ସଫ୍ଟୱେର୍ ଆଶାନୁରୂପ ଲକ୍ଷ୍ୟ ପୂରଣ କରିଥିଲା । ବିମାନ ଯୁଦ୍ଧାସ୍ତ୍ର ନିକ୍ଷେପଣ କରିବା ସମୟରେ ଟେଲିମେଟ୍ରୀ ଓ ଟ୍ରାକିଂ ସିଷ୍ଟମ ଦ୍ୱାରା ସମ୍ପୂର୍ଣ୍ଣ ମିଶନକୁ ରେକର୍ଡ କରାଯାଇଥିଲା । ଏହି ମିଶନରେ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯାଇଥିଲା ।
ଡିଆରଡିଓ ପରୀକ୍ଷାଗାର ସହଯୋଗ ଏବଂ ଆଇଏଏଫର ବ୍ୟାପକ ସହାୟତା ବଳରେ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଦ୍ୱାରା ସ୍ମାର୍ଟ ଆଂଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ର ବିକଶିତ କରାଯାଇଛି । ଗୁଣବତା ଏବଂ ଡିଜାଇନ ପ୍ରାମାଣିକରଣ ଏଜେନ୍ସିମାନେ ଏହାର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବେଳେ ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ (ଏଚଏଏଲ) ଯୁଦ୍ଧାସ୍ତ୍ରକୁ ବିମାନ ସହିତ ସଂଯୋଗ କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମନ୍ୱିତ ପଦକ୍ଷେପ ପାଇଁ ଡିଆରଡିଓ, ଆଇଏଏଫ ଏବଂ ମିଶନ ସହ ଜଡ଼ିତ ଟିମକୁ ପ୍ରଶଂସା କରିଛନ୍ତି । ବିକାଶ ଓ ପରୀକ୍ଷଣ ଦଳକୁ ପ୍ରଶଂସା କରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ କହିଛନ୍ତି ଯେ, ଏହି ଯୁଦ୍ଧାସ୍ତ୍ରର ପ୍ରଦର୍ଶନ ଏବଂ ବିଶ୍ୱସନୀୟତା ପ୍ରମାଣିତ ହୋଇଛି ।
