ଥାଇଲ୍ୟାଣ୍ଡ ଓପନ ୨୦୨୨ରେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁଙ୍କ ଅଭିଯାନ ଶେଷ
ନୂଆଦିଲ୍ଲୀ : ଥାଇଲ୍ୟାଣ୍ଡ ଓପନ ୨୦୨୨ରେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି। ସେ ମହିଳା ଏକକ ବର୍ଗ ସେମି ଫାଇନାଲରେ ଅଲିମ୍ପିକ୍ସ ଚାମ୍ପିୟନ ଚେନ ୟୁଫେଇଙ୍କ ଠାରୁ ହାରି ଯାଇଛନ୍ତି। ସିନ୍ଧୁ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କିଛିଟା ଭୁଲ ପାଇଁ ଚେନଙ୍କ ଠାରୁ ୧୭-୨୧ ଓ ୧୬-୨୧ରେ ହାରି ଯାଇଛନ୍ତି।
ବିଶ୍ୱର ୬ଷ୍ଠ ଶିଡ୍ ସିନ୍ଧୁଙ୍କ ପାଖରେ ଚେନ୍ଙ୍କ ଉପରେ ଚାପ ପକାଇବାର ସୃଷ୍ଟି ରହିଥିଲା। ବିଶେଷ କରି ଦ୍ୱିତୀୟ ସେଟ୍ରେ ସିନ୍ଧୁ ୧୧-୭ରେ ଆଗୁଆ ଥିଲେ। କିନ୍ତୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଚେନ୍ ଜବରଦସ୍ତ କମ ବ୍ୟାକ୍ କରିଥିଲେ। ସିନ୍ଧୁ ମଧ୍ୟ ତାଙ୍କୁ ସହଜରେ ପଏଣ୍ଟ ହାସଲ କରିବାର ସୁଯୋଗ ଦେଇଥିଲେ। ଶେଷରେ ସେ ଏହି ସେଟ୍କୁ ୨୧-୧୬ରେ ଜିତି ନେଇଥିଲେ। ପ୍ରଥମ ସେଟ୍କୁ ମଧ୍ୟ ଚେନ୍ ୨୧-୧୭ରେ ବାଜିମାତ କରିଥିଲେ। ଚେନ୍ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଥମଥର ପାଇଁ ସିନ୍ଧୁଙ୍କ ବିପକ୍ଷରେ ମ୍ୟାଚ୍ ଜିତିଛନ୍ତି। ସେହିପରି ଚେନ ଏଯାଏ ସିନ୍ଧୁଙ୍କ ସହ ୧୧ଟି ମ୍ୟାଚ୍ ଖେଳି ୫ଟିରେ ଜିତିଛନ୍ତି ଓ ୬ଟିରେ ହାରିଛନ୍ତି। କ୍ୱାର୍ଟର ଫାଇନାଲରେ ସିନ୍ଧୁ ବିଶ୍ୱର ୧ ନଂ ବ୍ୟାଡମିଣ୍ଟନ ଖେଳାଳି ଆକେନ ୟାମାଗୁଚିଙ୍କୁ ହରାଇଥିଲେ। କିନ୍ତୁ ଆଜିର ମ୍ୟାଚ୍ରେ ସେ ଆଦୌ ଆଶା ଅନୁଯାୟୀ ପ୍ରଦର୍ଶନ କରି ନାହାନ୍ତି। ସିନ୍ଧୁ କ୍ରମାଗତ ତୃତୀୟ ଥର ପାଇଁ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ସେମିରୁ ବିଦାୟ ନେଇଛନ୍ତି।
ଏସିଆ ଚାମ୍ପିୟନଶିପ୍ର ସେମି ଫାଇନାଲରେ ସିନ୍ଧୁ ୧ନଂ ଖେଳାଳି ୟାମାଗୁଚିଙ୍କ ଠାରୁ ହାରିଥିଲେ। ସେହିପରି କୋରିଆ ଓପନ ସେମିରେ ସେ ଆନ ସେୟଙ୍ଗଙ୍କ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। ଉବେର କପ୍ରେ ସିନ୍ଧୁ ଭାରତୀୟ ବ୍ୟାଡମିଣ୍ଟନ ଟିମ୍ର ସଦସ୍ୟ ଥିଲେ। କିନ୍ତୁ କ୍ୱାର୍ଟର ଫାଇନାଲରେ ଭାରତ ଥାଇଲ୍ୟାଣ୍ଡ ଠାରୁ ହାରିଥିଲା। ଆଜି ଥାଇଲ୍ୟାଣ୍ଡ ଓପନରେ ସିନ୍ଧୁଙ୍କ ପରାଜୟ ସହ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ସାଇନା ନେହ୍ୱାଲ ଓ ଥୋମାସ କପ୍ ଚାମ୍ପିୟନ ଦଳର ସଦସ୍ୟ ଏଚଏସ୍ ପ୍ରଣୟନ ନିଜ ନିଜର ମ୍ୟାଚ୍ ହାରି ଯାଇଥିଲେ। ସେହିପରି କାଦମ୍ବୀ ଶ୍ରୀକାନ୍ତ ଆହତ ଯୋଗୁ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଖେଳିବାକୁ ମନା କରି ଦେଇଥିଲେ।
