୨୦୨୬ରେ ଦେଶରେ ଚାଲିବ ପ୍ରଥମ ବୁଲେଟ୍ ଟ୍ରେନ
ନୂଆଦିଲ୍ଲୀ : ଆସନ୍ତା ୨୦୨୬ରେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସରକାରଙ୍କ ଉଚ୍ଚାଭିଳାଷୀ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଅଗ୍ରଗତି ଯାଂଚ କରିବା ପାଇଁ ରେଳମନ୍ତ୍ରୀ ବୈଷ୍ଣବ ସୁରଟ ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଥିଲେ । ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ ପାଇଁ ଭିତିଭୂମି ନିର୍ମାଣରେ ଭଲ ଅଗ୍ରଗତି ହୋଇଛି ଏବଂ ଏହି କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି ବୋଲି ସ୍ଥିତି ସମୀକ୍ଷା କଲାପରେ କହିଛନ୍ତି ରେଳମନ୍ତ୍ରୀ । ‘ଆମେ ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଇବାର ଲକ୍ଷ୍ୟ ରଖିଛୁ । କାର୍ଯ୍ୟର ପ୍ରଗତି ବହୁତ ଭଲ, ଏବଂ ଆମେ ସେହି ସମୟ ସୁଦ୍ଧା ଟ୍ରେନ୍ ଚଳାଇବା ପାଇଁ ଆତ୍ମବିଶ୍ୱାସୀ’ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି ।
ବିଲିମୋରା ଦକ୍ଷିଣ ଗୁଜୁରାଟର ନବସାରୀ ଜିଲ୍ଲାର ଏକ ସହର । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଅହମ୍ମଦାବାଦ ଏବଂ ମୁମ୍ବାଇ ମଧ୍ୟରେ ଏକ ହାଇସ୍ପିଡ୍ ରେଳ (ଏଚଏସଆର) କରିଡରରେ ଘଂଟାପ୍ରତି ୩୨୦ କିଲୋମିଟର ବେଗରେ ବୁଲେଟ୍ ଟ୍ରେନ୍ ଚଳାଇବା; ଯାହା ୫୦୮ କିଲୋମିଟର ଏବଂ ୧୨ଟି ଷ୍ଟେସନ୍ର ଦୂରତାକୁ ଅତିକ୍ରମ କରିବ । ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ବର୍ତମାନର ଛଅ ଘଂଟାରୁ ପ୍ରାୟ ତିନି ଘଂଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି । ଜାପାନ ଆନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜେଆଇସିଏ) ପ୍ରକଳ୍ପ ମୂଲ୍ୟର ୮୧ ପ୍ରତିଶତ ପାଣ୍ଠି ଯୋଗାଉଛି ଯାହା ୧.୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
