ଶୀତ ଋତୁ ପାଇଁ ଏଲଏସିରେ ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତ
ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସହିତ ଭାରତର ବିବାଦ ଲାଗି ରହିଥିବାବେଳେ ସଂପ୍ରତି ଶୀତଋତୁ ଆସନ୍ନ । ପ୍ରାୟ ୧୭ ହଜାର ଫୁଟ ଉଚ୍ଚତାରେ ସୀମାକୁ ସୁରକ୍ଷା ଦେଉଥିବା ଭାରତୀୟ ଯବାନମାନେ ଭୟଙ୍କର ଥଣ୍ଡା ପରିବେଶରେ ରହିବାକୁ ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ୨୦୨୦ ଆଦ୍ୟଭାଗରେ ଚୀନ ସହିତ ବିବାଦ ସୃଷ୍ଟି ହେବାପରେ ସେହିବର୍ଷ ଶୀତ ଋତୁରେ ମଧ୍ୟ ଭାରତୀୟ ଯବାନ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସୀମାନ୍ତକୁ ପୂର୍ଣ୍ଣ ସୁରକ୍ଷା ଦେଇଥିଲେ । ଚଳିତ ବର୍ଷ ସେମାନଙ୍କ ପାଇଁ ଦ୍ୱିତୀୟ ଶୀତ ଋତୁ ଆସୁଛି । ଏଭଳି ପରିସ୍ଥିତିରେ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତାକୁ ବଜାୟ ରଖିବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଥିବା ଜଣାଯାଇଛି । ଚୀନ ସହିତ ଦୀର୍ଘ ୧୯ ମାସ ଧରି ଦେଶର ଉତ୍ତର ଓ ଉତ୍ତର ପୂର୍ବ ଭାଗରେ ବିବାଦ ଲାଗିରହିଥିବାବେଳେ ଏହି ଅଞ୍ଚଳର ସମୁଦାୟ ଭୂରାଜନୈତିକ ଚିିତ୍ରପଟରେ ବ୍ୟାପକ ପରିବର୍ତ୍ତନ ଘଟିଛି । ସଂପ୍ରତି ଦେଶର ଉତ୍ତର ଓ ଉତ୍ତର ପୂର୍ବ ଭାଗରେ ଦେଶର ପ୍ରତିରକ୍ଷା ବାହିନୀ ସମସ୍ତ ପରିସ୍ଥିତିର ମୁକାବିଲା କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
ଇତିମଧ୍ୟରେ ଭାରତୀୟ ବାୟୁସେନା ଏବଂ ସ୍ଥଳ ସେନା ପକ୍ଷରୁ ବିମାନ ଯୋଗେ ସୈନ୍ୟ ଓ ସାମଗ୍ରୀ ପରିବହନ ପାଇଁ ‘ଓପି ହର୍କୁଲସ’ ମିଳିତ ଅଭ୍ୟାସ ନଭେମ୍ବର ୧୫ ତାରିଖରେ କରାଯାଇଛି । ଉତ୍ତରାଞ୍ଚଳ ସେକ୍ଟରରେ ରହୁଥିବା ଯବାନ ଏବଂ ସେନା ଛାଉଣୀ ପାଇଁ ଆବଶ୍ୟକ ସମ୍ବଳ ଠିକଣା ସମୟରେ ଯେଭଳି ପହଞ୍ଚିବା ସୁନିଶ୍ଚିତ କରାଯାଇପାରିବ ଏବଂ ଶୀତ ଋତୁରେ ଯବାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ପହଞ୍ଚାଯାଇ ପାରିବ ସେଥିପାଇଁ ଏହି ଅଭ୍ୟାସ କରାଯାଇଥିଲା । ବିମାନ ଯୋଗେ ପରିବହନ ପାଇଁ ସି-୧୭, ଆଇଏଲ-୭୬ ଏବଂ ଏଏନ-୩୨ ବିମାନଗୁଡିକୁ ବ୍ୟବହାର କରାଯାଇଥିଲା । ଏହି ବିମାନଗୁଡିକର ଭାରତର ପଶ୍ଚିମାଞ୍ଚଳରେ ଥିବା ଭାରତୀୟ ବାୟୁସେନାର ଏକ ଘାଟିରୁ ଉଡାଣ ଆରମ୍ଭ କରିଥିଲେ । ସଂପ୍ରତି ଏହି ଉଚ୍ଚ ଅକ୍ଷାଂଶରେ ଭୀଷଣ ଥଣ୍ଡା ଅନୁଭୂତ ହେବା ସହିତ ତାପମାତ୍ରା ଶୂନ୍ୟ ଠାରୁ ୪୦ରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଯିବା ସମ୍ଭାବନା ରହିଛି ଏବଂ ଏହା ସେଠାରେ ମୁତୟନ ଯବାନଙ୍କ ପାଇଁ ଏକ ଚାଲେଞ୍ଜ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ୨୦୨୦ରେ ଭାରତ ସରକାର ଏଭଳି ଉଚ୍ଚ ଅକ୍ଷାଂଶରେ ମୁତୟନ ହେଉଥିବା ଯବାନଙ୍କ ପାଇଁ ଆବଶ୍ୟକ ସରଞ୍ଜାମ ଆମେରିକା ଠାରୁ ଖରିଦ କରିଥିଲେ ।
