ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ କୋର୍ଟ ଅଫ ଇନକୁଆରୀ ନିର୍ଦ୍ଦେଶ ଦେଲା ଭାରତୀୟ ସେନା
ଜଣେ ମେଜର ଜେନେରାଲ ରାଙ୍କ ଅଧିକାରୀଙ୍କ ଅଧୀନରେ ଗଠିତ ହେବ କମିଟି
ନୂଆଦିଲ୍ଲୀ : ନାଗାଲାଣ୍ଡରେ ସୁରକ୍ଷାବଳର ଏନକାଉଣ୍ଟରରେ ୧୪ ସାଧାରଣ ଲୋକ ପ୍ରାଣ ହରାଇବା ଘଟଣାରେ କୋର୍ଟ ଅଫ ଇନକୁଆରୀ ନିର୍ଦ୍ଦେଶ ଦେଇଛି ଭାରତୀୟ ସେନା । ଏନେଇ ସେନା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଣେ ମେଜର ଜେନରାଲ ରାଙ୍କସ୍ତରୀୟ ଅଧିକାରୀଙ୍କ ଅଧୀନରେ ଗଠିତ ଏକ କମିଟି ଏହି ଗୁଳିକାଣ୍ଡର ତଦନ୍ତ କରିବେ ।
ସେନା ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନାନୁସାରେ, ଗଠିତ ହେବାକୁ ଥିବା କମିଟିରେ କେବଳ ଉତ୍ତର-ପୂର୍ବ ଭାରତରେ ଦାୟିତ୍ବରେ ଥିବା ବରିଷ୍ଠ ସେନା ଅଧିକାରୀଙ୍କୁ ସାମିଲ କରାଯିବ । ଏହି କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଘଟଣାର ତଦନ୍ତ କରିବ ।
ନାଗାଲାଣ୍ଡର ସୋମ ଜିଲାରେ ଏନଏସସିଏନ(କେୱାଇ) ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ ସେନା ସ୍ପେଶାଲ ଫୋର୍ସ ଅପରେସନ ଆରମ୍ଭ କରିଥିଲା । ସେହି ସମୟରେ ସେହି ରାସ୍ତା ଦେଇ ଏକ ଚାରିଚକିଆ ଯାନରେ ଯାଉଥିବା କିଛି ସ୍ଥାନୀୟ ଲୋକେ ସେନା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । ସେନା ଗୁଳିରେ ୧୪ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଘଟଣାର ପରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ରଖାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି । ସାଧାରଣ ନାଗରିକଙ୍କୁ ଗୁଳିକାଣ୍ଡ ଘଟଣାରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓ ରବିବାର ଏକ ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେନା ମଧ୍ୟ ନିଜ ଆଡୁ କୋର୍ଟ ଅଫ ଇନକୁଆରୀ ନିର୍ଦ୍ଦେଶ ଦେବା ସହ ପ୍ରକ୍ରିୟା ଆରମ୍ଭ କରିଛି ।
