ଦୀର୍ଘ ୪ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଜିତିଲା ଭାରତ, ସିରିଜ ୧-୦ରେ ଅଗ୍ରଣୀ
India cricketers celebrate their win at the end of the first one-day international (ODI) cricket match between India and New Zealand at the Rajiv Gandhi International Cricket Stadium in Hyderabad on January 18, 2023. (Photo by Noah SEELAM / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE-----
ହାଇଦ୍ରାବାଦ : ଦୀର୍ଘ ୪ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଜିତିଲା ଭାରତ। ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ମାଇକେଲ୍ ବ୍ରେସଓ୍ଵେଲଙ୍କ ଲଢୁଆ ଶତକ ନ୍ୟୁଜିଲାଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲେ। ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ହରାଇଲା ଭାରତ ।
ଏକଦା ୧୩୧ ରନରେ ୬ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାରଦେଶରେ ଥିବା ନ୍ୟୁଜିଲାଣ୍ଡ ମିଚେଲ୍ ବ୍ରେସଓ୍ଵଲଙ୍କ ଲଢୁଆ ଶତକ ବଳରେ ମ୍ୟାଚ୍କୁ ରୋମାଞ୍ଚକର ସ୍ଥିତିକୁ ଆଣିଥିଲା। ତେବେ ମହମ୍ମଦ ସିରାଜଙ୍କ ଶାଣିତ ବୋଲିଂ ଯୋଗୁଁ ଭାରତ ମ୍ୟାଚ୍କୁ ୧୨ ରନରେ ଜିତି ନେଇଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଶୁବମାନ ଗିଲ୍ଙ୍କ ୨୦୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୪୯ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ବ୍ରେସଓ୍ଵେଲଙ୍କ ୧୪୦ ରନର ଲଢୁଆ ଶତକ ବଳରେ ୪୯.୨ ଓଭରରେ ୩୩୭ ରନ କରିବାକୁ ସକ୍ଷମ ହୋଇଛି। ଶେଷରେ ମୁକାବିଲାକୁ ଜିତି ନେଇଛି ଭାରତ।
ହାଇଦ୍ରାବାଦରେ ଟସ୍ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଓପନର ରୋହିତ ଓ ଗିଲ୍ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୬୦ ଥିବା ବେଳେ ରୋହିତ ୩୪ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି କେବଳ ୮ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଈଶାନ କିଶନ ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୧୦ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଗିଲ୍ ପ୍ରଥମେ ସୂର୍ଯ୍ୟ କୁମାର(୩୧)ଙ୍କ ସହ ମିଶି ସମ୍ଭାଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୭୫ ଥିବା ବେଳେ ସୂର୍ଯ୍ୟ ତାଙ୍କ ହାତ ଛାଡ଼ି ଦେଇଥିଲେ। ଏହାପରେ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ କିଛି ସମୟ ପାଇଁ ଗିଲଙ୍କ ସାଥ ଦେଇଥିଲେ। ଉଭୟ ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଗିଲ୍ ମଧ୍ୟ ନିଜ ଦିନିକିଆ କ୍ୟାରିୟରରେ ଲଗାତର ଦ୍ୱିତୀୟ ଶତକ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ଗିଲ୍ ୧୧୬ ରନର ଇନିଂସ ଖେଳିଥିଲେ। ଆଜି ୮୭ ବଲରେ ଶତକ ହାସଲ କରିବା ପରେ ଗିଲ୍ ବିସ୍ଫୋରକ ରୂପ ଧାରଣ କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ସେ ଶଟ ଖେଳିବା ବନ୍ଦ କରି ନଥିଲେ। ସେ ମିଚେଲ ବ୍ରେସୱେଲଙ୍କୁ ଛକା ମାରି ୧୨୨ ବଲରେ ୧୫୦ ରନ ପୂରଣ କରିଥିଲେ। ଏହାପରେ ବି ସେ ଅଟକି ନଥିଲେ। ବିଶେଷ କରି ୪୯ତମ ଓଭର ବୋଲିଂ କରୁଥିବା ଲକି ଫର୍ଗୁସନଙ୍କୁ କ୍ରମାଗତ ୩ଟି ଛକା ମାରି ଗିଲ୍ ମାତ୍ର ୧୪୫ ବଲରେ ନିଜର ଦୁଇ ଶତକ ହାସଲ କରିଥିଲେ। ଶେଷ ଓଭରର ପ୍ରଥମ ବଲରେ ମଧ୍ୟ ସେ ଗୋଟିଏ ଛକା ମାରିଥିଲେ। କିନ୍ତୁ ଏହାର ପରବର୍ତ୍ତୀ ବଲରେ ସେ ହେନରୀ ଶିପଲେଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୩୪୫ ରହିଥିଲା। ଶେଷ ୪ ବଲରେ କୁଲଦୀପ ଯାଦବ ଓ ମହମ୍ମଦ ଶାମି ୪ ରନ କରିବାରୁ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭୮ ୱିକେଟ ହରାଇ ୩୪୯ ରନ କରିଛି। ଗିଲ ତାଙ୍କ ଇନିଂସରେ ୯ଟି ଛକା ଓ ୧୯ଟି ଚୌକା ମାରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଶିପଲେ ଓ ଡାରେଲ ମିଚେଲ ୨ଟି ଲେଖାଏ ୱିକେଟ ପାଇଥିବା ବେଳେ ଫର୍ଗୁସନ, ମିଚେଲ ସାଣ୍ଟନର ଓ ବ୍ଲେୟାର ଟିକନର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ଭାରତ ପକ୍ଷରୁ ୩୫୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖାଯାଇଥିଲେ ବି ନ୍ୟୁଜିଲାଣ୍ଡ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ଏକ ସମୟରେ ନ୍ୟୁଜିଲାଣ୍ଡ ୧୩୧ ରନରେ ୬ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ୭ମ ସ୍ଥାନରେ ଆସିଥିବା ମାଇକେଲ ବ୍ରେସଓ୍ବେଲଙ୍କ ଲଢୁଆ ଇନିଂସ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ନେଇ ଆସିଥିଲା । ତାଙ୍କ ଏ କ୍ଷେତ୍ରରେ ସାଥ୍ ଦେଇଥିଲେ ମିଚେଲ ସାଣ୍ଟନର । ସାଣ୍ଟନର ୫୭ ରନ କରି ଆଉଟ ହେବା ପରେ ବି ବ୍ରେସଓ୍ବେଲଙ୍କ ଆକ୍ରମଣ ଜାରି ରହିଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡ ଜିତିବାକୁ ୨୦ ରନ ଆବଶ୍ୟକ ହେଉଥିବାବେଳେ ଶାର୍ଦ୍ଦୁଲ ଠାକୁର ବୋଲିଂ ପାଇଁ ଆସିଥିଲେ । ପ୍ରଥମ ବଲରେ ଛକା ମାରି ବ୍ରସେଓ୍ବେଲ ରୋମାଞ୍ଚକୁ ବଢାଇ ଦେଇଥିଲେ । କିନ୍ତୁ ୨ୟ ବଲରେ ଶାର୍ଦ୍ଦୁଲଙ୍କ ୟର୍କର ଆଗରେ ବିଫଳ ହୋଇଥିଲେ ବ୍ରେସଓ୍ବେଲ । ସେ ୧୪୦ ରନ କରି ଆଉଟ ହୋଇଥିଲେ ।
