ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ ତୃତୀୟ ଟି-୨୦! କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରୋହିତ ବାହିନୀ
ବାଦ ପଡିଲେ କୋହଲି ଓ ପନ୍ତ
ଶ୍ରେୟସ୍ ଓ ଋତୁରାଜଙ୍କୁ ମିଳିପାରେ ସୁଯୋଗ
ନୂଆଦିଲ୍ଲୀ : ଆଜି ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ ତୃତୀୟ ତଥା ଶେଷ ଟି-୨୦ ମୁକାବିଲା । ପ୍ରଥମ ଦୁଇଟି ଟି-୨୦ ଜିତି ସିରିଜ୍ ଜିତି ସାରିଛି ଭାରତ । ଫଳରେ ତୃତୀୟ ମୁକାବିଲା ଜିତି କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିଛନ୍ତି ରୋହିତ ବାହିନୀ । ଶୃଙ୍ଖଳା ଜିତି ସାରିଥିବାରୁ ଏହି ମ୍ୟାଚ୍ରେ ଭାରତ ପାଖରେ ପରୀକ୍ଷା ନିରୀକ୍ଷା କରିବାର ବିକଳ୍ପ ଖୋଲା ରହିବ। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତ ଏହି ମ୍ୟାଚ୍ ଖେଳିବେ ନାହିଁ ବୋଲି ମୁଖ୍ୟ ଚୟନକର୍ତ୍ତା ଚେତନା ଶର୍ମା ସ୍ପଷ୍ଟ କରି ଦେଇଛନ୍ତି। ଏଣୁ ଭାରତ ଏହି ମ୍ୟାଚ୍ରେ ଶ୍ରେୟସ୍ ଆୟର ଏବଂ ଋତୁରାଜ ଗାଏକ୍ବାଡ୍ଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ଭାରତୀୟ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ଅଛନ୍ତି । ଗତ ଦୁଇଟି ଟି-୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବି ପ୍ରଦର୍ଶନ କରିଛି ରୋହିତ ସେନା । ବିରାଟ କୋହଲି ବି ଫର୍ମକୁ ଫେରିଛନ୍ତି । ଅଳରାଉଣ୍ଡର ଭେଙ୍କଟେଶ ଆୟାର ଓ ଓ୍ୱିକେଟ୍ କିପର ଋଷଭ ପନ୍ତ ଦ୍ୱିତୀୟ ଦିନିକିଆରେ ଚମତ୍କାର ବ୍ୟାଟିଂ କରିଥିଲେ । ସେହିପରି ରବି ବିଶ୍ନୋଇ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାରଙ୍କ ଭଲି ବୋଲର ମଧ୍ୟ ବିପକ୍ଷ ବ୍ୟାଟରଙ୍କୁ ଚାପରେ ରଖିବାରେ ସମର୍ଥ ହୋଇଥିଲେ । ତେବେ ଶେଷ ଟି୨୦ରେ ଖେଳିବେନି ବିରାଟ । ତାଙ୍କୁ ବିସିସିଆଇ ବାୟୋ ବବଲରୁ ବ୍ରେକ୍ ଦେଇଛି । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ । ଯଦି ଶ୍ରେୟସ୍ ଆୟର ସାମିଲ ହୁଅନ୍ତି, ତାହେଲେ ଭାରତୀୟ ମଧ୍ୟକ୍ରମର ରୂପ କିଛିଟା ବଦଳିବ। ସେ ସମ୍ଭବତଃ କୋହଲିଙ୍କ ସ୍ଥାନ ନେବେ। ଆଇପିଏଲ୍ ନିଲାମରେ ତୃତୀୟ ଦାମୀ ଖେଳାଳିର ମାନ୍ୟତା ଲାଭ କରିଥିବା ଶ୍ରେୟସ୍ ପ୍ରଥମ ଦୁଇ ଟି-୨୦ ଖେଳି ନଥିଲେ। ଷଷ୍ଠ ବୋଲର ବିକଳ୍ପ ପାଇଁ ଅଧିନାୟକ ରୋହିତ ଶର୍ମା ତାଙ୍କ ଅପେକ୍ଷା ଭେଙ୍କଟେଶ ଆୟରଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ଦେଇଥିଲେ। ନିକଟରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ନିଯୁକ୍ତ ହୋଇଥିବା ଶ୍ରେୟସ୍ ଭ୍ରମଣକାରୀ ଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିଲେ।
ସେହିପରି ଦିନିକିଆ ଶୃଙ୍ଖଳାକୁ ୦-୩ରେ ହାରିବା ପରେ ଚଳିତ ଭାରତ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଲଗାତାର ୫ ମ୍ୟାଚ୍ ହାରିସାରିଛି। ଦଳ ମୁଣ୍ଡ ଉପରେ ପଛକୁ ପଛ ଦୁଇଟି ଶୃଙ୍ଖଳାରେ ମୂଳପୋଛ ହେବାର ବିପଦ ବି ଝୁଲି ରହିଛି। ଫଳରେ ତୃତୀୟ ଟି-୨୦ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଇଣ୍ଡିଜ । ଇଂଲଣ୍ଡକୁ ରୋମାଞ୍ଚକର ଭାବେ ୩-୨ରେ ହରାଇ ଇଣ୍ଡିଜ୍ ଦଳ ଭାରତ ଆସିଥିଲା। ଏଠାରେ କିନ୍ତୁ ତା’ର ଦକ୍ଷତାମୂଳକ ଖେଳ ଖେଳିବାକୁ ସକ୍ଷମ ହୋଇନି। ଏପରିକି ଶୁକ୍ରବାରର ଦ୍ବିତୀୟ ଟି-୨୦ରେ ନିକୋଲାସ୍ ପୂରନ ଏବଂ ରୋଭମନ ପାୱେଲଙ୍କ ଧୂଆଁଧାର ବ୍ୟାଟିଂ ସତ୍ତ୍ବେ ମ୍ୟାଚ୍ ଜିତି ପାରି ନଥିଲା ଇଣ୍ଡିଜ୍। ଦ୍ୱିତୀୟ ଦିନିକିଆରେ ଇଣ୍ଡିଜ ଭଲ ଖେଳିଥିଲେ ବି ବିଜୟୀ ହୋଇନଥିଲା । ମାତ୍ର ୮ ରନରେ ପରାସ୍ତ ହୋଇଥିଲା । ଦଳର ଟପ୍ ଅର୍ଡର ଭଲ ଫର୍ମରେ ଥିଲେ ବିମ୍ୟାଚ୍ ବିଜୟୀରେ ସହାୟକ ହେଉ ନାହାଁନ୍ତି । ବୋଲର ବି ପ୍ରଭାବହୀନ ବୋଲିଂ କରୁଛନ୍ତି । ଗତ ମ୍ୟାଚରେ ସେଲଡନ କଟରେଲ୍ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ତେବେ ଦଳ ବୋଲିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରିବ ।ଏହାସହ ଶେଷ ଟି-୨୦ ଜିତିବାକୁ ପ୍ରୟାସ କରିବ । ସୂଚନା ଯେ, ପୂର୍ବରୁ ଭାରତ ଇଣ୍ଡିଜ ବିରୋଧରେ ୩-୦ରେ ଦିନିକିଆ ସିରିଜ୍ ଜିତି ଥିବାବେଳେ ଦଳ ଟି-୨୦କୁ ମଧ୍ୟ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, ଭେଙ୍କଟେଶ ଆୟର/ଦୀପକ ହୁଦା, ହର୍ଷଲ ପଟେଲ, ଦୀପକ ହୁଦା/ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର/ମହମ୍ମଦ ସିରାଜ/ଅଭେସ ଖାନ୍, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କାଇଲ ମେୟର, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ ପୂରନ, ରୋଭମନ ପାୱେଲ, କିରଣ ପୋଲାର୍ଡ (ଅଧିନାୟକ), ଜାସନ ହୋଲ୍ଡର, ରସ୍ତନ ଚେଜ୍, ରୋମାରିଓ ସେପାର୍ଡ, ଓଡେନ୍ ସ୍ମିଥ୍, ଅକିଲ ହୁସେନ, ସେଲଡନ୍ କଟ୍ରେଲ।
