ଶନିବାର ଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍, ସିରିଜ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ
ନୂଆଦିଲ୍ଲୀ : ଆସନ୍ତା ଶନିବାର ଠାରୁ ଭାରତ-ଶ୍ରୀଲଙ୍କା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ୍ ଖେଳିବ । ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଇନିଂସ ସହ ୨୨୨ ରନରେ ପରାସ୍ତ କରିଥିଲା । ତେବେ ଭ୍ରମଣକାରୀ ଦଳ ବିପକ୍ଷରେ ତୃତୀୟ ପିଙ୍କ୍ ବଲ ଟେଷ୍ଟ ଖେଳିବ ଭାରତ । ପୂର୍ବରୁ ଦଳ ୨୦୧୯ରେ ବାଂଲାଦେଶ ଓ ୨୦୨୧ରେ କୋଲକାତା ବିପକ୍ଷରେ ପିଙ୍କ୍ ବଲ ଟେଷ୍ଟ ଖେଳିଥିଲା । ପ୍ରାକ୍ଟିସ୍ ସେସନରେ ସବୁ ଖେଳାଳି ଆତ୍ମବିଶ୍ୱାସର ସହ ଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିବା ପରେ ଦଳ ଉପରେ ସେତେଟା ଚାପ ନାହିଁ ।
ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟର ବିରାଟ କୋହଲିଙ୍କ ପାଇଁ ଏହି ମୁକାବିଲା ଖାସ୍ ହେବାକୁ ଯାଉଛି । କାରଣ ଏହି ମୁକାବିଲାରେ ତାଙ୍କ ବ୍ୟାଟରୁ ପ୍ରଶଂସକ ଶତକ ଆଶା ରଖିଛନ୍ତି । ଦୀର୍ଘ ୨୭ ମାସ ଧରି ବିରାଟଙ୍କ ବ୍ୟାଟ୍ ଶାନ୍ତ ଅଛି । ସେ ବାଂଲାଦେଶେ ବିପକ୍ଷ ଦିବାରାତ୍ର ମୁକାବିଲାରେ ଶେଷ ଶତକ ଲଗାଇଥିଲେ । ଦ୍ୱିତୀୟ ଟେଷ୍ଟରେ ଭାରତ ବଡ ପରିବର୍ତନ କରିପାରେ । କୂଳଦୀପ ଯାଦବଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ଦଳ ଚୁଡାନ୍ତ ଏକାଦଶରେ ସାମିଲ କରିବ । ଅକ୍ଷର ଏବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ସେହିପରି ଶୁଭମନ ଗିଲଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ମୋହାଲି ଟେଷ୍ଟରେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଓପନିଂ ପାଇଁ ଓହ୍ଲାଇଥିଲେ । ବେଙ୍ଗାଲୁରୁ ଦିନିକିଆରେ ମଧ୍ୟ ଉଭୟ ପୁଣି ଓପନିଂ ପାଇଁ ଓହ୍ଲାଇପାରନ୍ତି । ତେବେ ଦ୍ୱିତୀୟ ମୁକାବିଲା ଜିତି ଭାରତ ସିରିଜ ଜିତିବାକୁ ଲକ୍ଷ୍ୟ ରଖିବ । ପୂର୍ବରୁ ଦଳ ଟି୨୦ ସିରିଜରେ ଶ୍ରୀଲଙ୍କାକୁ ମାତ୍ ଦେଇଥିଲା ।
ଅନ୍ୟପକ୍ଷରେ ମ୍ୟାଚ୍ ପୂର୍ବରୁ କିଂବଦନ୍ତି ଭାରତୀୟ ବ୍ୟାଟର୍ ସୁନିଲ ଗାଭାସ୍କର ନିଜ ପସନ୍ଦର ବ୍ୟାଟିଂକ୍ରମ ଚୟନ କରିଛନ୍ତି । ସେ ଶୁବମନ ଗିଲ୍ଙ୍କ ବଦଳରେ ମୟଙ୍କ ଅଗ୍ରୱାଲ୍ଙ୍କୁ ଖେଳାଇବାକୁ ଯୁକ୍ତି ବାଢ଼ିଛନ୍ତି । ‘‘ଗିଲ୍ ଗତ ଦୁଇମାସ ହେଲା କୌଣସି ପ୍ରକାର କ୍ରିକେଟ୍ ଖେଳିନାହାନ୍ତି । ଏପରିକି ରଣଜୀ ବି ଖେଳି ନାହାନ୍ତି । ଏହାକୁ ଦେଖିଲେ ସେ ଏବେ ଭାରତ ପାଇଁ ଖେଳିବାକୁ ଯୋଗ୍ୟ ନୁହଁନ୍ତି । ତାଙ୍କ ପାଖରେ ନିଶ୍ଚିତ ପ୍ରତିଭା ରହିଛି । ଏଥିରେ ସନ୍ଦେହ ନାହିଁ । କିନ୍ତୁ ଶେଷରେ ସେ ଫର୍ମରେ ଅଛନ୍ତି କି ନାହିଁ ତାହା ଜାଣିବା କିପରି । ଯଦି ଆମେ ଭଲଭାବେ ନିରୀକ୍ଷଣ କରିବା ମୟଙ୍କ ଭାରତର ଘରୋଇ ଶୃଙ୍ଖଳାରେ ସର୍ବଦା ସ୍କୋର୍ କରନ୍ତି । ସେ ଭାରତରେ ବସ୍ କିନ୍ତୁ ବାହାରେ ସ୍କୋର୍ କରିପାରନ୍ତିନି । ଘରୋଇ ଶୃଙ୍ଖଳାରେ ସେ ଶତକ କିମ୍ବା ଦ୍ୱିଶତକ ଅର୍ଜନ କରିପାରିବେ । ତେଣୁ ଦ୍ୱିତୀୟ ଟେଷ୍ଟ୍ରେ ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ଆବଶ୍ୟକ । ନମ୍ବର ୩ରେ ହନୁମା ବିହାରୀ । ଦକ୍ଷିଣ ଆଫ୍ରିକାରେ ଗୋଟିଏ ସୁଯୋଗ ପାଇଥିଲେ ବିହାରୀ । ଦ୍ୱିତୀୟ ପାଳିରେ ଦଳ ପାଇଁ ମୂଲ୍ୟବାନ ସ୍କୋର ଯୋଡ଼ିଥିଲେ । ମୁଁ ଭାବୁଛି ନ୍ୟୁଜିଲାଣ୍ଡ୍ ବିପକ୍ଷ ପଦାର୍ପଣ ଟେଷ୍ଟ୍ରେ ଶତକ ଜମାଇଥିବା ଶ୍ରେୟସ ଆୟର ଶ୍ରୀଲଙ୍କା ବିପକ୍ଷ ଧଳାବଲ୍ ମ୍ୟାଚ୍ରେ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ । ସେ କ୍ରମାଗତ ୩ ଅର୍ଦ୍ଧଶତକ ଜମାଇଥିଲେ । ତେଣୁ ସେ ମଧ୍ୟ ଦ୍ୱିତୀୟ ଟେଷ୍ଟ୍ ପାଇଁ ଦଳର ଶୀର୍ଷ ୫ ବ୍ୟାଟର୍ଙ୍କ ମଧ୍ୟରେ ରହିବେ’’ ବୋଲି ପୂର୍ବତନ ଭାରତୀୟ ଅଧିନାୟକ ଗାଭାସ୍କର କହିଛନ୍ତି । ଏଥି ସହିତ ରୋହିତ, ମୟଙ୍କ, ବିହାରୀ, ବିରାଟ କୋହଲି ଏବଂ ଶ୍ରେୟସଙ୍କୁ ନେଇ ଗାଭାସ୍କର ନିଜ ପସନ୍ଦର ପ୍ରଥମ ୫ ବ୍ୟାଟିଂକ୍ରମ ସ୍ଥିର କରିଛନ୍ତି ।
