ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ : ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି
ବେଙ୍ଗାଲୁରୁ : ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଦିବା ରାତ୍ର ଟେଷ୍ଟ । ଫ୍ଲଡ୍ ଲାଇଟ୍ ତଳେ ଗୋଲାପି ବଲ୍ରେ ଉଭୟ ପ୍ରଥମ କରି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଭାରତ-ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଶତପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାକୁ ଅନୁମତି ମିଳିଛି। ପୂର୍ବରୁ ଏହି ମ୍ୟାଚ୍ ପାଇଁ ୫୦ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ମିଳିଥିଲା । ହେଲେ ମ୍ୟାଚ୍ ଟିକେଟର ଚାହିବା ଅଧିକ ବଢ଼ିଯିବାରୁ ଆୟୋଜକ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ (କେଏସ୍ସିଏ) କର୍ଣ୍ଣାଟକ ସରକାରଙ୍କୁ ଦର୍ଶକ ସଂଖ୍ୟା ବୃଦ୍ଧି ପାଇଁ ଅନୁମତି ମାଗିଥିଲା ।
କର୍ଣ୍ଣାଟକ ସରକାର ଶତପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ । ଏହାପରେ ପ୍ରଥମ ଦୁଇ ଦିନର ଖେଳ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯାଇଥିଲା । ସାଧାରଣ ଦର୍ଶକଙ୍କ ପାଇଁ ରଖାଯାଇଥିବା ୧୦,୦୦୦ ଟିକେଟ୍ ବିକ୍ରି ହୋଇ ସାରିଥିବା କେଏସ୍ସିଏ କୋଷାଧ୍ୟକ୍ଷ ବିନୟ ମୃତ୍ୟୁଞ୍ଜୟ ସୂଚନା ଦେଇଛନ୍ତି । ଶୁକ୍ରବାର କେଏସ୍ସିଏ ପକ୍ଷରୁ ଅତିରିକ୍ତ ଟିକେଟ୍ ବିକ୍ରି କରାଯିବ ।
ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପ୍ରଥମ କରି ଦିବା ରାତ୍ର ଟେଷ୍ଟ ଆୟୋଜନ କରିବାକୁ ଯାଉଛି । ଐତିହାସିକ ଟେଷ୍ଟ ପାଇଁ ଷ୍ଟାଡିୟମ୍ ପୂର୍ଣ୍ଣ ପ୍ରସ୍ତୁତ । ପିଚ୍ ପ୍ରସ୍ତୁତି ସରିଛି । ବୁଧବାର ଅପରାହ୍ଣରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଭାରତୀୟ ଦଳ ବିଶ୍ରାମ ନେଇଥିଲା । ଗୁରୁବାର ଦଳର ଅଭ୍ୟାସ ଶିବିର ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଖେଳାଳି ଓ କୋଚିଂ ସଦସ୍ୟ ଅଭ୍ୟାସ ଶିବିରରେ ଯୋଗ ଦେଇଥିଲେ । ଦଳର ଯୁବ ଖେଳାଳିଙ୍କ ଉପରେ କୋଚ୍ମାନେ ଗୁରୁତ୍ୱ ଦେଇଥିଲେ । ମୟଙ୍କ ଅଗ୍ରୱାଲ୍ଙ୍କ ସମେତ ଶୁଭମନ ଗିଲ, ଶ୍ରେୟାସ ଆୟର ପ୍ରମୁଖ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଫିଟ୍ ହୋଇ ଫେରିଥିବା ସ୍ପିନର ଅକ୍ଷର ପଟେଲଙ୍କ ଉପରେ କୋଚ୍ଙ୍କ ତୀକ୍ଷ୍ଣ ନଜର ରହିଥିଲା । ଗତ ବର୍ଷ ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବା ରାତ୍ର ଟେଷ୍ଟ ଖେଳାଯାଇଥିଲା । ମାତ୍ର ୨ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ଜିତିଥିଲା। ଅକ୍ଷର ପଟେଲ ଏହି ମ୍ୟାଚ୍ରେ ୧୧ଟି ୱିକେଟ୍ ନେଇଥିଲେ । ବେଙ୍ଗାଲୁରୁ ପିଚ୍ ମଧ୍ୟ ସ୍ପିନରଙ୍କୁ ସହାୟତା କରିବ । ତେଣୁ ଭାରତ ପ୍ରଥମ ଟେଷ୍ଟ ଭଳି ଏଠାରେ ମଧ୍ୟ ୩ଜଣ ସ୍ପିନର ନେଇ ଖେଳିବ । ଅକ୍ଷର ଫେରିବା ପରେ ଜୟନ୍ତ ଯାଦବଙ୍କୁ ଏକାଦଶରୁ ବାଦ ଦିଆଯିବା ନିଶ୍ଚିତ । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ସମୁଦ୍ର ପତନ ଠାରୁ ୩୦୦୦ ଫୁଟ୍ ଉଚ୍ଚରେ ରହିଛି । ତେଣୁ ସ୍ଥାନୀୟ ଅଞ୍ଚଳର ଜଳବାୟୁରେ ଆଦ୍ରତା ପରିମାଣ କମ୍ ରହିବ । ଦିନରେ ଉତ୍ତାପ ଅଧି ରହୁଥିବାରୁ ରାତ୍ରିରେ କାକର ବହୁ ବିଳମ୍ବରେ ଆସିବ । ଫଳରେ ଖେଳ ସମୟରେ କାକର ପ୍ରଭାବ ପଡ଼ିବନାହିଁ ।
