ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍, ଟସରେ ବାଧକ ସାଜିଲା ବର୍ଷା
ମୁମ୍ବାଇ : ବର୍ଷ ସାଜିଲା ବାଧକ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ସିରିଜ୍ । ଲକ୍ଷ୍ମୌରେ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଉଭୟ ଟିମ୍ ଜୋରଦାର ଅଭ୍ୟାସ ମଧ୍ୟ କରିଥିଲେ । କିନ୍ତୁ ମ୍ୟାଚ୍ରେ ପଡ଼ିବାକୁ ଥିବା ଟସରେ ବାଧକ ସାଜିଲା ବର୍ଷା ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୨-୧ରେ ବିଜୟୀ ହୋଇଛି। ଶେଷ ଟି-୨୦ ମ୍ୟାଚ୍କୁ ଛାଡି ପୂର୍ବ ୨ଟି ମ୍ୟାଚ୍ରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍ଦାର ପ୍ରଦର୍ଶନ କରି ମ୍ୟାଚ୍ ଜିତିଥିଲା । କିନ୍ତୁ ଶେଷ ମ୍ୟାଚ୍ରେ ବାଜିମାରିନେଇଥିଲା ସାଉଥ ଆଫ୍ରିକା । ଆଉ ଏବେ ଆରମ୍ଭ ହେବ ଦିନିକିଆ ସିରିଜ୍ । ଟି-୨୦ ସିରିଜ୍ ଜିତି ମନୋବଳ ଦୃଢ ଥିବା ଟିମ୍ ଇଣ୍ଡିଆ ଏବେ ଘରୋଇ ମାଟିରେ ଭ୍ରମଣକାରୀ ଦଳକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ସେପଟେ ସାଉଥ ଆଫ୍ରିକା ଟିମ୍ ଶେଷ ଟି-୨୦ ମ୍ୟାଚ୍ ଜିତି ମନୋବଳ ଦୃଢ ହୋଇଛି । ଦିନିକିଆ ସିରିଜ୍ରେ ଜୋରଦାର ମୁକାବିଲା ଦେଖିବାକୁ ମିଳିବ ବୋଲି କ୍ରୀଡାପ୍ରେମୀମାନେ ଆଶା ରଖିଛନ୍ତି ।
ଏବେ ଦୁଇ ଦେଶ ମଧ୍ୟରେ ଗୁରୁବାରଠୁ ଆରମ୍ଭ ହେବ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଦିନିକିଆ ସିରିଜ୍ରେ ମଇଦାନକୁ ଓହ୍ଲାଇବ ଭିନ୍ନ ଦଳ। ଆଉ ତାର ନେତୃତ୍ଵ ନେଉଛନ୍ତି ଶିଖର ଧାଓ୍ଵନ। କାରଣ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଟି-୨୦ ବିଶ୍ଵ କପ୍ ଗୁରୁବାର ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ। ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ଖେଳାଯିବ। ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ କୌଣସି ବି ଖେଳାଳିଙ୍କୁ ଦିନିକିଆ ସିରିଜ୍ରେ ସାମିଲ୍ କରାଯାଇ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରୁ ଶ୍ରେୟସ ଆୟର, ଦୀପକ ଚହର, ଶାହବାଜ ଅହମ୍ମଦ ଏବଂ ମହମ୍ମଦ ସିରାଜ ଚାରି ଖେଳାଳିଙ୍କୁ ଦିନିକିଆ ସିରିଜ୍ରେ ସାମିଲ୍ କରାଯାଇଛି।
