ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ କଥାବାର୍ତ୍ତା-୨୦୨୧ ଉଦଘାଟିତ
ନୂଆଦିଲ୍ଲୀ : ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ କଥାବାର୍ତ୍ତା ୨୦୨୧ ଉଦଘାଟିତ ହୋଇଛି । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇ କହିଛନ୍ତି ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆତଙ୍କବାଦ, ଜଳଦସ୍ୟୁ କାର୍ଯ୍ୟ, ନିଶାଦ୍ରବ୍ୟ ଚୋରା କାରବାର ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ଭଳି ଚ୍ୟାଲେଞ୍ଜ ଗୁଡ଼ିକ ବୃଦ୍ଧି ପାଉଥିବାରୁ ଏଗୁଡ଼ିକ ସେହି ଅଞ୍ଚଳ ପାଇଁ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି।
ଏହିସବୁ ସମସ୍ୟାଗୁଡ଼ିକ ସେହି ଅଞ୍ଚଳର ରାଷ୍ଟ୍ରଗୁଡ଼ିକ ପ୍ରତି ଘୋର ବିପଦ ସୃଷ୍ଟି କରୁଛି। ସେ ଦୃଷ୍ଟିରୁ ଏହା ଉପରେ ସାମୂହିକ ସହଯୋଗର ଆବଶ୍ୟକତା ଦେଖାଦେଇଛି। ସାମୁଦ୍ରିକ ପ୍ରସଙ୍ଗଗୁଡ଼ିକରେ ସାମୁହିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଭାରତ ସାମୁଦ୍ରିକ ସମ୍ବନ୍ଧୀୟ ଜାତିସଂଘ ଆଇନ୍ ଅନୁସାରେ ପ୍ରତ୍ୟେକ ରାଷ୍ଟ୍ରର ଅଧିକାରକୁ ସମ୍ମାନ ଦେବାକୁ ପ୍ରତିଶ୍ରୁତିବଦ୍ଧ।
