ଆସନ୍ତାକାଲିଠୁ ଦୁଇ ଦିନ ‘ଭାରତ ବନ୍ଦ’, ESMA ଲଗାଇପାରନ୍ତି ସରକାର
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ମୁଣ୍ଡ ଟେକିଲା ଶ୍ରମିକ ଆନ୍ଦୋଳନ। କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ସଂଘ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଭାରତ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏହି ବନ୍ଦ ଡାକରାକୁ ବ୍ୟାଙ୍କ, ଟ୍ରାନ୍ସପର୍ଟ, ରୋଡୱେଜ ଓ ବିଜୁଳି ବିଭାଗର କର୍ମଚାରୀମାନେ ସମର୍ଥନ କରୁଥିବା କୁହାଯାଉଛି।
କେନ୍ଦ୍ରୀୟ ଟ୍ରେଡ ସଂଘର ଗୋଟିଏ ଫୋରମ ସୋମବାର ଓ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛି। ମୋଦି ସରକାରଙ୍କ ନୀତି ବିରୁଦ୍ଧରେ ଏହି ଡାକରା ଦିଆଯାଇଛି। କର୍ମଚାରୀ, କୃଷକ ଏବଂ ସାଧାରଣ ଲୋକଙ୍କ ଉପରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିର ଖରାପ ପ୍ରଭାବ ପକାଉଥିବା ଦାବି କରାଯାଉଛି। ଯେଉଁଥିପାଇଁ ବିରୋଧ ସଦୃଶ୍ୟ ଭାରତ ବନ୍ଦ କରିବାକୁ ଅନେକ ଅନୁଷ୍ଠାନ ଆଗେଇ ଆସିଛନ୍ତି। ତେବେ ଏହି ବନ୍ଦ ପାଳନକୁ ଅସଫଳ କରିବା ପାଇଁ ରାଜ୍ୟ ସରକାରମାନେ Essential Services Maintenance Act (ESMA)ପ୍ରୟୋଗ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି।
ରାଜପଥ, ପରିବହନ ଏବଂ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ଭରତ ବନ୍ଦକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୃଷକ, ବ୍ୟାଙ୍କିଙ୍ଗ, ବୀମା ଏବଂ ଆର୍ଥିକ କ୍ଷେତ୍ରର କର୍ମଚାରୀମାନେ ମଧ୍ୟ ଏହି ଧର୍ମଘଟର ଏକ ଅଂଶ ହେବେ ବୋଲି କୁହାଯାଉଛି। କୋଇଲା, ଇସ୍ପାତ, ତୈଳ, ଟେଲିକମ୍, ଡାକ, ଆୟକର, କପର, ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ଏହି ଧର୍ମଘଟ ସମ୍ପର୍କରେ ଟ୍ରେଡ ୟୁନିଅନ ଆଗୁଆ ନୋଟିସ ପଠାଇଛି। କେନ୍ଦ୍ରରେ ଥିବା ବିଜେପି ସରକାର ଏହାର ନୀତି ସହ ଶ୍ରମିକ ଶ୍ରେଣୀକୁ ହଇରାଣ କରୁଛନ୍ତି ବୋଲି ଦାବି ହେଉଛି।
ଏହି ଭରତ ବନ୍ଦ ଯୋଗୁଁ ଅନେକ ବ୍ୟବସାୟ ବନ୍ଦ ହେବାର ଆଶଙ୍କା ରହିଛି। ବ୍ୟାଙ୍କିଙ୍ଗ ଉପରେ ସବୁଠାରୁ ବଡ ପ୍ରଭାବ ଦେଖିବାକୁ ମିଳିପାରେ। ଆଶା କରାଯାଉଛି ଯେ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ବ୍ୟାଙ୍କଗୁଡିକର କାର୍ଯ୍ୟ ବହୁ ପରିମାଣରେ ପ୍ରଭାବିତ ହେବ। ଏଥିପାଇଁ ଷ୍ଟେଟ୍ ବ୍ୟାଙ୍କ ତାହାର ଗ୍ରାହକଙ୍କୁ ଏସମ୍ପର୍କରେ ଆଗୁଆ ସୂଚନା ଦେଇଛି। ସୋମବାର ଓ ମଙ୍ଗଳବାର ପରିବହନ ସେବା ମଧ୍ୟ ଠପ୍ ହୋଇଯିବାର ଆଶଙ୍କା ରହିଛି।
