ପୁଣି ପଜିଟିଭ ଚିହ୍ନଟ ହେଲେ ଦେଶର ପ୍ରଥମ କରୋନା ସଂକ୍ରମିତ
କେରଳ : ଦେଶର ପ୍ରଥମ କରୋନା ରୋଗୀ ପୁଣିଥରେ ସଂକ୍ରମିତ ହୋଇଛନ୍ତି। ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ହେଉଛି ଗତ ବର୍ଷ ଜାନୁଆରୀରେ ଚାଇନାର ୱୁହାନରୁ କେରଳର ଥ୍ରୀସୁରକୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ର। ଏହି ଛାତ୍ର ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ଥ୍ରୀସୁର ଡିଏମଓ ଡକ୍ଟର କେ.ଜେ ରୀନାଙ୍କ ଅନୁଯାୟୀ ଛାତ୍ରୀଙ୍କ ଆରଟିପିସିଆର ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କର ଆଣ୍ଟିଜେନ୍ ପରୀକ୍ଷା ନେଗେଟିଭ ଥିଲା। ଛାତ୍ରୀଙ୍କର କରୋନା ସଂକ୍ରମଣର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ଛାତ୍ରୀ ପୁନର୍ବାର କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ଘରେ ଅଛନ୍ତି।
ଡାକ୍ତରୀ ଅଧିକାରୀଙ୍କ ଅନୁଯାୟୀ, ଝିଅଟି ବିମାନ ଯୋଗେ ଦିଲ୍ଲୀ ଯିବାକୁ ଚାହୁଁଥିଲା। ଏଥିପାଇଁ ସେ କୋଭିଡ ପରୀକ୍ଷା କରିଥିଲେ। ତେବେ ସେ ପୁଣି ଥରେ କୋଭିଡ ପଜିଟିଭ୍ ବୋଲି ଜଣାପଡିଛି। ତେବେ ଡାକ୍ତରମାନେ କହିଛନ୍ତି ଯେ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିବାରୁ ଚିନ୍ତା କରିବାର କିଛି ନାହିଁ। ଚାଇନାର ୱୁହାନରୁ ଫେରିବା ପରେ ଛାତ୍ରୀ ଘରେ ଅଛନ୍ତି ଏବଂ ଅଧ୍ୟୟନ ପାଇଁ ଅନଲାଇନ୍ କ୍ଲାସ କରୁଛନ୍ତି । ସୂଚନା ଯେ, ୨୦୨୦ ଜାନୁଆରୀ ୩୦ରେ ୱୁହାନ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସେମିଷ୍ଟାର ବିରତି ପରେ ଘରକୁ ଫେରିବା ପରେ ସେ ଦେଶର ପ୍ରଥମ କରୋନା ରୋଗୀ ହୋଇଥିଲେ।
