ଭାରତର ଅର୍ଥନୀତି ଓ ବ୍ୟାଙ୍କିଙ୍ଗ ସିଷ୍ଟମ ମଜଭୁତ ରହିଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱ ଅର୍ଥନୀତି ଟଳମଳ ସ୍ଥିତିରେ ଥିବା ବେଳେ ଭାରତର ଅର୍ଥନୀତି ଓ ବ୍ୟାଙ୍କିଙ୍ଗ ସିଷ୍ଟମ ମଜଭୁତ ରହିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି । ବିଶ୍ୱରେ ସମସ୍ୟା ଥିବା ବେଳେ ଭାରତ ଅର୍ଥନୀତି ମଜଭୁତ ରହିଛି। ବ୍ୟାଙ୍କିଙ୍ଗ ସିଷ୍ଟମ ବି ମଜଭୁତ ରହିଛି। ଏହା ହିଁ ଆମ ବ୍ୟବସ୍ଥାର ଶକ୍ତି ବୋଲି କହିଛନ୍ତି ।
ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଗ୍ରଗତି କରୁଥିବା ଅର୍ଥନୀତି। ସ୍ମାର୍ଟଫୋନ୍ ଡାଟା ବ୍ୟବହାର କରିବାର ଭାରତ ନମ୍ବର ୱାନ୍। ମୋବାଇଲ୍ ତିଆରିରେ ବିଶ୍ୱ ଦ୍ୱିତୀୟ ଏବଂ ତୃତୀୟ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ।” ବର୍ତ୍ତମାନ ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ ଓ ଗବେଷକ ସମସ୍ତଙ୍କ ମୁଖରେ ଭାରତର ଦ୍ରୁତ ଗତି ନେଇ ଆଲୋଚନା ହେଉଛି ବୋଲି ମୋଦୀ କହିଛନ୍ତି।
ସେହିପରି କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ଗଣତନ୍ତ୍ର ଓ ବ୍ୟବସ୍ଥାର ସଫଳତା ଆଜି କିଛି ଲୋକଙ୍କୁ ବାଧୁଛି। ଏଥିପାଇଁ ସେମାନେ ଗଣତନ୍ତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଯେତେବେଳେ କିଛି ମାଙ୍ଗଳିକ କାର୍ଯ୍ୟ ହେଉଥିଲା ସେତେବେଳେ କଳା ଟିକା ଲଗାଇବାର ପରମ୍ପରା ଥିଲା। ତେବେ ବର୍ତ୍ତମାନ ଯେହେତୁ ମଙ୍ଗଳ କାମ ହେଉଛି ସେତେବେଳେ କିଛି ଲୋକ କଳା ଟିକା ଲଗାଇବାର କାମ କରୁଛନ୍ତି। ମୋଦୀ କୌଣସି ବ୍ୟକ୍ତିଙ୍କ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି।
