ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ : ରାଜକୋଟରେ ହେବ କି ବିଶାଖାପାଟଣା ରଣନୀତିର ପୁନରାବୃତ୍ତି ?
ନୂଆଦିଲ୍ଲୀ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ଖେଳାଯିବ। ରାଜକୋଟରେ ସନ୍ଧ୍ୟା ୭ଟାରେ ଦୁଇ ଦଳ ମଧ୍ୟରେ ମୁକାବିଲା ହେବ। ବିଶାଖାପାଟଣା ମ୍ୟାଚ୍ ପରି ରାଜକୋଟରେ ବି ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି। ଭାରତ ପାଇଁ ଚତୁର୍ଥ ମ୍ୟାଚ୍ ବି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି।
ଶୁକ୍ରବାର ପୁଣିଥରେ ପଡ଼ିଆରେ ନିଜର ଦମ୍ ଦେଖାଇବେ ଭାରତୀୟ ଖେଳାଳି । କର ବା ମର ପରିସ୍ଥିତିରେ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିବେ ବୋଲି ଟିମ୍ ଆଶା ରଖିଛି। କାରଣ ଦକ୍ଷିଣ ଆଫ୍ରିକା ବପକ୍ଷରେ ଚତୁର୍ଥ ମ୍ୟାଚ୍ ହାରିଗଲେ ଭାରତ ହାତରୁ ସିରିଜ୍ ଚାଲିଯିବ। ତେଣୁ ସ୍ୱତନ୍ତ୍ର ରଣନୀତି ନେଇ ଅଧିନାୟକ ପନ୍ତ ପଡ଼ିଆକୁ ଓହ୍ଲାଇବେ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଜାରି ରହିଛି। ଅରୁଣ ଜେଟଲୀ, ବାରବାଟୀ ଷ୍ଟାଡିୟମରେ ଭାରତ ଭଲ ପ୍ରଦର୍ଶନ ସତ୍ତ୍ୱେ ପରାସ୍ତ ହୋଇଥିଲା। ତେବେ ଡୁ ଅର୍ ଡାଏ ପରିସ୍ଥିତିରେ ତୃତୀୟ ତଥା ବିଶାଖାପାଟଣା ମୁକାବିଲା ଜିତି ଟିମ୍ ଇଣ୍ଡିଆ ସିରିଜକୁ କମବ୍ୟାକ୍ କରିଥିଲା। ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ପନ୍ତ ବାହିନୀ। ଈଶାନ କିଷନ, ଗାଏକୱାଡ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଚହଲ ଏବଂ ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ।
ଗତ ବିଶାଖାପାଟଣା ମୁକାବିଲା ଜିତିବା ସହ ନିଜ ମନୋବଳ ଦୃଢ଼ କରିଛନ୍ତି ଖେଳାଳି। ଆଜି ବିସ୍ଫୋରକ ବ୍ୟାଟିଂ, ଘାତକ ବୋଲି କରି ଦକ୍ଷିଣ ଆଫ୍ରିକାକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଭାରତୀୟ ପ୍ଲେୟାର। ସେପଟେ, ପ୍ରଥମ ଦୁଇ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ବହୁତ ଭଲ ଥିଲା। ଭ୍ରମଣକାରୀ ଟିମ୍ ବିସ୍ଫୋରକ ବ୍ୟାଟିଂ, ମାପଚୁପ ବୋଲିଂ ଏବଂ ସୁନ୍ଦର ଫିଲ୍ଡିଂ କରି ରୋମାଞ୍ଚକ ବିଜୟ ହାସଲ କରିଥିଲା। ହେଲେ ବିଶାଖାପାଟଣା ମୁକାବିଲାରେ ଖେଳାଳିମାନେ ଫେଲ୍ ମାରିଲେ। ନା ବ୍ୟାଟ୍ ଚାଲିଲା ନା ବୋଲିଂରେ କମାଲ କଲେ। ଏହାର ଫାଇଦା ନେଇ ଭାରତ ମ୍ୟାଚ୍ ଜିତି ନେଇଥିଲା। ତେବେ ଗତ ମ୍ୟାଚରେ ହୋଇଥିବା ତ୍ରୁଟି ଆଜି ଯେପରି ନହୁଏ ସେଥିପ୍ରତି ଖେଳାଳିମାନେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ରାଜକୋଟ ମୁକାବିଲା ଜିତି ଭାରତ ବିପକ୍ଷରେ ସିରିଜ୍ ହାତେଇବାକୁ ଜୋରଦାର ଉଦ୍ୟମ କରିବ। ଏଥିପାଇଁ ସମସ୍ତ ଖେଳାଳିଙ୍କୁ ଶତ ପ୍ରତିଶତ ପରଫରମାନ୍ସ ଦେବାକୁ ପଡ଼ିବ। ବିସ୍ଫୋରକ ମିଲର, କ୍ଲାଜେନ, ଭାନଡେର ଦଶେନ ଫୁଲ ଫର୍ମରେ ଅଛନ୍ତି। ତେଣୁ ଦଳ ସେମାନଙ୍କ ଠାରୁ ବଡ଼ ଇନିଂସ ଆଶା ରଖିଛି। ସେହିପରି ରାବଡ଼ା, ନର୍ଟଜେ, ପାର୍ନେଲଙ୍କ ଭଳି ଷ୍ଟାର ଖେଳାଳି ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ। ଆଜି ମଇଦାନରେ କଡ଼ା ମୁକାବିଲା ହେବା ନେଇ ଆଶା କରାଯାଉଛି।
