୩୧ ଡିସେମ୍ୱର ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣସ ଅବଧି
ନୂଆଦିଲ୍ଲୀ : କରଦାତାଙ୍କ ପାଇଁ ଖୁସି ଖବର। ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମାକୁ ପୁଣିଥରେ ବୃଦ୍ଧି କଲେ କେନ୍ଦ୍ର ସରକାର । ସାଧାରଣତଃ ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ। ମାତ୍ର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଇଟିଆର ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ସେମାନଙ୍କ ପାଇଁ ସମୟ ସୀମା ୩୧ ଡିସେମ୍ୱର ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି କରାଯାଇ ଏହି ସୂଚନା ଦେଇଛି ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମହାମାରୀ କରୋନା ସମୟରେ କରଦାତା ଓ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟ ସମୀକୁ ସିବିଡିସି ଡିସେମ୍ବର ୩୧ ଯାଏ ବୃଦ୍ଧି କରିଛି। ଏହି ସମୟସୀମା ମଧ୍ୟରେ ଟିକସ ଦାତା ଓ କମ୍ପାନୀମାନେ ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ। ସୂଚନା ଯେ, ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଟିକସ ଦାଖଲ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ। ଏବେ ଏହାକୁ ଡିସେମ୍ବର ୩୧ ଯାଏ ପୁଣିଥରେ ବୃଦ୍ଧି କରାଯାଇଛି।
