ରାୟଗଡ଼ାରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟନ
ରାୟଗଡ଼ା: ରାୟଗଡ଼ାରେ ଉଦଘାଟନ ହେଲା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର। ଏହି ଅବସରରେ ଏହି ସୂଚନା ଦେଇଛି ଜିଲା ପ୍ରଶାସନ। ମୁଖ୍ୟଅତିଥି ଭାବେ ଜିଲାପାଳ ସରୋଜ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ସ୍ୱତନ୍ତ୍ର କେନ୍ଦ୍ରର ଉଦଘାଟନ କରିଥିଲେ। ଗତ ୫ ବର୍ଷରେ ହସ୍ତାନ୍ତର ହୋଇଥିବା ଶିଶୁମାନେ ଉକ୍ତ ପିତାମାତାଙ୍କ ପାଖରେ କିପରି ରହିଛନ୍ତି ଓ ସେମାନଙ୍କର ବର୍ତ୍ତମାନର ସ୍ଥିତି ବିଷୟରେ ଆଇଡିଏସ ସଂସ୍ଥାର କାର୍ଯ୍ୟକର୍ତ୍ତା ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରିଥିଲେ। କିଛି ଶିଶୁ ରାଜ୍ୟ ଭିତରେ, କିଛି ରାଜ୍ୟ ବାହାରେ, କିଛି ଶିଶୁ ଅନ୍ୟଦେଶରେ ଯାଇ ପୋଷ୍ୟ ସନ୍ତାନ ଭାବେ ସେହି ପିତାମାତାଙ୍କ ପାଖରେ ରହିବାର ଏବଂ ଶିଶୁଙ୍କ ବର୍ତ୍ତମାନର ଜୀବନ ଶୈଳୀ ସଂପର୍କିତ ଫଟୋ ଦେଖାଇଥିଲେ।
ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଶିଶୁମାନଙ୍କର ବର୍ତ୍ତମାନର ଜୀବନ ଶୈଳୀ ବିଷୟରେ ଶୁଣି ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ରାୟଗଡ଼ା ଜିଲାରେ ଥିବା ଅନାଥ ଶିଶୁଙ୍କୁ ଠାବ କରି ଉପଯୁକ୍ତ ଥଇଥାନ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ରାୟଗଡ଼ା ଜିଲ୍ଲା ପାଇଁ ପ୍ରଦତ୍ତ ସ୍ଵତନ୍ତ୍ର ଆଇଡିକୁ ଜିଲାପାଳ ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ କେନ୍ଦ୍ର କାର୍ଯ୍ୟକ୍ରମ ପରିଚାଳକ ଶୁଭଦର୍ଶୀ ଦାସ, ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବି. ଏଲ୍. ଏନ୍. ପୃଷ୍ଟି, ରାୟଗଡ଼ା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ରାଜକିଶୋର ସାହୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ପରିଚାଳନା କରୁଥିବା ସଂସ୍ଥା ଆଇଡିଏସର ସମ୍ପାଦକ ଦେବେନ୍ଦ୍ର କୁମାର ବେହେରା, ପୋଷ୍ୟ ସନ୍ତାନ ଗ୍ରହଣ ପରାମର୍ଶଦାତା ପ୍ରଶାନ୍ତ କୁମାର କାନୁନଗୋ, ରାୟଗଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୀନାକ୍ଷି ଦାସ, ଆଇସିଡିଏସ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
