ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀ
- ଆଜି ଉପରାଷ୍ଟ୍ରପତି କମଲା ହ୍ୟାରିସ, ଅଷ୍ଟ୍ରେଲିଆ ସମକକ୍ଷ ଓ ସିଇଓମାନଙ୍କୁ ଭେଟିବେ
ନୂଆଦିଲ୍ଲୀ : ତିନିଦିନିଆ ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି। କାରଣ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଗୁରୁବାର ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି କମଲା ହ୍ୟାରିସ୍, ଅଷ୍ଟ୍ରେଲିଆର ନିଜର ସମକକ୍ଷ ସ୍କଟ ମୋରିସନ୍ ଓ ଗ୍ଲୋବାଲ କଂପାନୀର ସିଇଓ ମାନଙ୍କୁ ଭେଟିବେ । ପରେ ଆପଲ୍ ଭଳି ୫ଟି ବଡ଼ ବଡ଼ କମ୍ପାନୀର ସି.ଇ.ଓ.ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୋଦୀ ଆଜି କର୍ପୋରେଟ ସେକ୍ଟରର ବଛାବଛା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଶିଳ୍ପ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଚର୍ଚ୍ଚା କରିବେ। ସିଇଓ ତାଲିକାରେ କ୍ବାଲକମ, ଏଡୋବ, ବ୍ଲାକଷ୍ଟୋନ୍, ଜେନେରାଲ ଅଟୋମିକ୍ସ ଓ ଫାଷ୍ଟ ସୋଲାର କଂପାନୀ ରହିଛି।
ଏହା ସହ କ୍ବାର୍ଡ୍ ଦେଶ ରାଷ୍ଟ୍ରମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ତେବେ ୨ ଶୀର୍ଷ ନେତାଙ୍କ ସାକ୍ଷାତକାର ଉପରେ ବିଶ୍ବର ନଜର ରହିଛି। ପ୍ରତିରକ୍ଷା, ବାଣିଜ୍ୟ, ଭାରତୀୟଙ୍କୁ ଭିସା ପ୍ରସଙ୍ଗ ବ୍ୟତୀତ ଅନ୍ୟ ବହୁ ପ୍ରସଂଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ତେବେ ଆଫଗାନସ୍ତାନରେ ତାଲିବାନ ସରକାର ଗଠନକୁ ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ସେହିଦିନ କ୍ବାର୍ଡ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକ ହେବ। ଏଥିରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତର ରାଷ୍ଟ୍ରମୁଖ୍ୟ ଯୋଗ ଦେଇ ଚୀନ୍ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ। ସେହି ଦିନ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ୱାସିଂଟନରୁ ବାହାରି ନ୍ୟୁୟର୍କ ଯିବେ। ୨୫ ତାରିଖରେ ମିଳିତ ଜାତିସଂଘରେ ସମ୍ବୋଧନ କରିବେ। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଯୋଗଦେବେ। ନରେନ୍ଦ୍ର ମୋଦୀଙ୍କ ପୂର୍ବରୁ ଇମ୍ରାନ ଖାନ ମିଳିତ ଜାତିସଂଘରେ ଉଦବୋଧନ ଦେବେ। ଇମ୍ରାନ ଖାନ୍ ନିଶ୍ଚିତ ଭାବେ କାଶ୍ମୀର ଓ ଆଫଗାନିସ୍ତାନରେ କ୍ଷମତା ଅକ୍ତିଆର କରିଥିବା ତାଲିବାନ ସରକାର ବାବଦରେ ଯୁକ୍ତି ରଖିବେ। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ପ୍ରସଂଗକୁ ନେଇ କଣ କହିବେ, ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ଫେରିବେ।
