ରାଜ୍ୟରେ ତଳମୁହାଁ ପାରଦ, ୧୪ରୁ ବଢ଼ିବ ଶୀତ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୧୪ ତାରିଖରୁ ଶୀତ ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରୀ ଖସିବ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ଥିତି ଏଭଳି ରହିବ। ପରବର୍ତ୍ତୀ ୩ ଦିନରେ ପାରଦ ଦ୍ରୁତଗତିରେ ତଳମୁହାଁ ହେବ, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି। ଦାରିଙ୍ଗିବାଡ଼ିରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଥିଲା । ଏଠାରେ ପାରଦ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ବଲାଙ୍ଗୀରରେ ୧୪.୨,ଟିଟିଲାଗଡ଼ରେ ୧୫.୩, ଫୁଲବାଣୀରେ ୧୫.୫ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରୀ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଭବାନୀପାଟଣା ଓ ଟିଟିଲାଗଡ଼ରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା। ଏହା ସହ ହାଲୁକା କୁହୁଡ଼ି ପଡ଼ିଥିବା ବେଳେ ମାଲକାନଗିରି ଓ କୋରାପୁଟଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଓ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ବଲାଙ୍ଗୀରଠାରେ ୧୪.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ୧୩.୫ ଡିଗ୍ରି ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରା ତଳକୁ ଖସିଛି। କୌଣସି ସ୍ଥାନରେ ବର୍ଷା ଆଶଙ୍କା ନାହିଁ । ରବିବାର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଅନୂଭୂତ ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
