ଜଙ୍ଗଲରେ କଲରାପତରିଆ ବାଘର ମୃତଦେହ ଠାବ, ନଖ ଓ ନିଶ ଲୁଟ
ସୁବର୍ଣ୍ଣପୁର : ଜଙ୍ଗଲ ଭିତରେ ବାଘର ଗଳିତ ମୃତଦେହ ଠାବ କରାଯାଇଛି । ବାରହା ଫାସରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ ହୋଇଥିବାବେଳେ ତା’ର ନଖ ଓ ନିଶକୁ ଦୁର୍ବୁତ୍ତମାନେ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲାଉଲୁଣ୍ଡା ବନାଞ୍ଚଳର ବାଘପାଲି ଜଙ୍ଗଲରେ ଘଟିଛି ।
ମଙ୍ଗଳବାର ସକାଳୁ କିଛି ଲୋକ ଜଙ୍ଗଲ ଭିତରକୁ ଛେଳି ଚରାଇବାକୁ ଯାଇଥିବାବେଳେ ଦୁର୍ଗନ୍ଧ ହେଉଥିଲା । ନିକଟକୁ ଯାଇ ଦେଖିଲା ବେଳକୁ ଏକ କଲରାପତରିଆ ବାଘ ମରି ପଡ଼ିଥିଲା । ତେବେ ବାଘଟି ମରିବାର ୫ରୁ ୭ ଦିନ ହୋଇଯାଇଥିବାରୁ ତା’ର ମୃତଦେହରେ ପୋକ ଫୁଟୁଥିବା ଦେଖିବାକୁ ମିଳିଥିଲା । ଏନେଇ ଲୋକେ ଉଲୁଣ୍ଡା ବନ ବିଭାଗକୁ ଖବର ଦେଇଥିଲେ ହେଁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିବା ନେଇ ଅଭିଯୋଗ ହୋଇଛି । ପରେ ଘଟଣାସ୍ଥଳରେ ଉଲୁଣ୍ଡା ଫରେଷ୍ଟର ପ୍ରସନ୍ନ ନାୟକ ପହଞ୍ଚି ବାଘର ପୋଷ୍ଟମୋର୍ଟମ ପରେ ମୃତ୍ୟୁ ପଛର ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି ।
ସୂଚନା ଯେ, ଜଙ୍ଗଲ ଭିତରେ ବିଦ୍ୟୁତ ତା’ର ଯାଇଥିବାରୁ ଦୁର୍ବୁତ୍ତମାନେ ସେଠାରୁ ବିଦ୍ୟୁତ ବ୍ୟବହାର କରି ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କଲେ ମଧ୍ୟ ବନ ଓ ବିଦ୍ୟୁତ ବିଭାଗ ଦୃଷ୍ଟି ଦେଉନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
