କାର୍ ଦୁର୍ଘଟଣାରେ ଡା. ଅଞ୍ଜନ କୁମାର ଷଡ଼ଙ୍ଗୀଙ୍କ ପରଲୋକ
ବାରିପଦା : କାର୍ ଦୁର୍ଘଟଣାରେ ଡା. ଅଞ୍ଜନ କୁମାର ଷଡ଼ଙ୍ଗୀଙ୍କ ପରଲୋକ। ତାଙ୍କୁ ୫୯ ବର୍ଷ ହୋଇଥିଲା। ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଅଞ୍ଜନ କୁମାର ଷଡଙ୍ଗୀ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ୍ରେ ଯାଇଥିଲେ। ତେଣୁ ସେ ସେଠାରେ କାର୍ଯ୍ୟ କରୁଥିଲେ। ଶନିବାର ରାତିରେ ମେଡିକାଲ୍ରେ ତାଙ୍କର ନାଇଟ୍ ଡ୍ୟୁଟି ଥିଲା। ତେଣୁ ସେ ନାଇଟ୍ ଡ୍ୟୁଟି ସାରି ରବିବାର ସକାଳେ ବାରିପଦା ଫେରୁଥିଲେ।
ଦିନ ପ୍ରାୟ ୯ଟା ୩୫ରେ ବେତନଟୀ ଥାନା ନୟାପୁରୁଷୋତ୍ତମ ନିକଟରେ ତାଙ୍କ କାର୍ (ଓଡି-୧୧କେ-୧୨୨୨) ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯିବା ଫଳରେ ତାଙ୍କ ଓ୍ବାଗନ୍-ଆର୍ କାର୍ଟି ଭାଙ୍ଗି ଚୂର୍ମାର ହୋଇ ଯାଇଥିଲା। ନିଜେ କାର୍ ଡ୍ରାଇଭିଂ କରୁଥିବା ଡାକ୍ତର ଷଡ଼ଙ୍ଗୀ ବହୁ ସମୟ ଧରି ଷ୍ଟିୟରିଂରେ ଚାପି ହୋଇ ରହିଥିଲେ। ଜଙ୍ଗଲିଆ ସ୍ଥାନ ହୋଇଥିବାରୁ ଦୁର୍ଘଟଣା ସଂପର୍କରେ ପ୍ରଥମେ କେହି ଜାଣି ପାରିନଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜାତୀୟ ରାଜପଥରେ ପାଖାପାଖି ଗୋଟିଏ ଘଣ୍ଟା ରହିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକେ କାର୍ ଡୋର୍ କାଟି ତାଙ୍କୁ ବାହାର କରିଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଉଥିଲା। ଭଦ୍ରକ ପାଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ମରଶରୀରକୁ ବାରିପଦା ଫରାଇ ଅଣାଯାଇଥିଲା। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ମେଡିକାଲ୍ରେ ଶହଶହ ଲୋକଙ୍କ ଭିଡ଼ ଜମି ଥିଲା। ନେତା, ବରିଷ୍ଠ ନାଗରିକ ଓ ସାଧାରଣ ଜନତା ତାଙ୍କୁ ଶେଷ ଦର୍ଶନ କରିଥିଲେ। ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ବାରିପଦାରେ ଘରେ ଘରେ ପରିଚିତ ଥିଲେ। ସେ ଅତି ଲୋକ ପ୍ରିୟ ଡାକ୍ତର ଥିଲେ।
