୧୦୦ତମ ଟେଷ୍ଟରେ ଶୂନରେ ଆଉଟ୍ ହୋଇ ଅଲୋଡା ରେକର୍ଡ କଲେ ପୂଜାରା, ଏହି କ୍ଲବରେ ହେଲେ ସାମିଲ୍
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚରେ ଚେତେଶ୍ଵର ପୂଜାରାଙ୍କ ପାଇଁ ବହୁତ ଖାସ୍ ରହିଛି। କାରଣ ଏହା ତାଙ୍କର ରେଡ୍ ବଲ୍ କ୍ରିକେଟ୍ରେ ୧୦୦ତମ ଟେଷ୍ଟ। ମାତ୍ର ଏହି ବଡ ମ୍ୟାଚ୍ରେ ପୂଜାରା ଶୂନ୍ୟରେ ଆଉଟ୍ ହୋଇ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି। ୧୦୦ତମ ଟେଷ୍ଟରେ ଶୁନ୍ୟରେ ଆଉଟ୍ ହେବାରେ ସେ ଦ୍ଵିତୀୟ ଭାରତୀୟ ଏବଂ ବିଶ୍ଵ କ୍ରିକେଟ୍ରେ ଅଷ୍ଟମ ଖେଳାଳି ହେବାର ଅପଖ୍ୟାତି ଅର୍ଜନ କରିଛନ୍ତି। ପୂଜାରା ପ୍ରଥମ ପାଳିରେ ୭ ବଲ୍ ସମ୍ମୁଖୀନ ହୋଇ ଖାତା ଖୋଲି ପାରିନାହାନ୍ତି।
୧୦୦ତମ ଟେଷ୍ଟରେ ଶୂନରେ ଆଉଟ୍ ହୋଇଥିବା ବ୍ୟାଟର ମାନେ ହେଲେ- ଦିଲୀପ ଭେଙ୍କସରକାର, ଆଲାନ ବର୍ଡର, କଟନୀ ଓ୍ଵାଲ୍ସ, ମାର୍କ ଟେଲର, ଷ୍ଟିଫେନ ଫ୍ଲେମିଂ, ବ୍ରେଣ୍ଡନ ମ୍ୟାକୁଲମ, ଆଲିଷ୍ଟର କୁକ୍, ଚେତେଶ୍ଵର ପୂଜାରା।
ସୂଚନା ଯେ, ଚେତେଶ୍ଵର ପୂଜାରା ୧୩ତମ ଭାରତୀୟ ଭାବେ ୧୦୦ ଟେଷ୍ଟ ଖେଳିବାର ଉପଲବ୍ଧି ହାସଲ କରିଛନ୍ତି। ମ୍ୟାଚ୍ ଆରମ୍ଭ ପୂର୍ବରୁ କିମ୍ବଦନ୍ତୀ ଖେଳାଳି ସୁନିଲ ଗାଭାସ୍କର ସ୍ଵତନ୍ତ୍ର କ୍ୟାପ୍ ଦେଇ ଚେତେଶ୍ଵର ପୂଜାରାଙ୍କୁ ସମ୍ମାନିତ କରିଛନ୍ତି । ଭାରତୀୟ ଇନିଂସରେ ନାଥନ ଲିୟନ ଘାତକ ବୋଲିଂ କରିଛନ୍ତି। ଦ୍ଵିତୀୟ ଦିନରେ ଲିୟନ ପ୍ରଥମେ କେଲଏ ରାହୁଲଙ୍କୁ ଆଉଟ୍ କରିଥିଲେ। ଏହା ପରେ ୨୦ତମ ଓଭରରେ ସେ ରୋହିତ ଶର୍ମା ଏବଂ ପୂଜାରାଙ୍କୁ ପାଭିଲିୟନ ପଠାଇଥିଲେ। ଏହା ପୂର୍ବରୁ ନାଥନ ଲିୟନ ପୂଜାରାଙ୍କୁ ଅଡୁଆରେ ପକାଇଥିଲେ। ମାତ୍ର ସେତେବେଳେ ପାଟ୍ କମିନ୍ସ ରିଭ୍ୟୁ ନେଇନଥିଲେ।
୨୦ତମ ଓଭରର ଚତୁର୍ଥ ବଲ୍ରେ ନାଥନ ଲିୟନ ପୁଣି ଥରେ ପୂଜାରାଙ୍କୁ ଓ୍ଵିକେଟ୍ରେ ଫସାଇଥିଲେ। ଅମ୍ପାୟର ତାଙ୍କୁ ନଟ୍ଆଉଟ୍ ଦେଇଥିଲେ ହେଁ ପାଟ୍ କମିନ୍ସ ରିଭ୍ୟୁର ବ୍ୟବହାର କରିଥିଲେ। ବଲ୍ ପ୍ରଥମେ ବ୍ୟାଟ୍ରେ ବାଜିବା ପୂର୍ବରୁ ପୂଜାରାଙ୍କ ପ୍ୟାଡ୍ରେ ବାଜିଥିବା ତୃତୀୟ ଅମ୍ପାୟର ରିପ୍ଲେରେ ଜାଣିବାକୁ ପାଇଥିଲେ। ଏହା ପରେ ପଡିଆ ନିଜର ନିଷ୍ପତ୍ତି ବଦଳାଇ ପୂଜାରାଙ୍କୁ ଆଉଟ୍ ଦେଇଥିଲେ। ଏଥିସହ ପୂଜାରା ନିଜର ୧୦୦ତମ ଟେଷ୍ଟରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି।
