କିଛି ସ୍ଥାନରେ ଇଭିଏମ୍ରେ ତ୍ରୁଟି, ଭୋଟ ନଦେଇ ଫେରୁଛନ୍ତି ଭୋଟର
ଭୁବନେଶ୍ବର : ଆଜି ପୌର ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ହେଲେ କିଛି ସ୍ଥାନରେ ଇଭିଏମ୍ରେ ତ୍ରୁଟି ଥିବା ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭୋଟର ମାନେ ଭୋଟ ନଦେଇ ଫେରୁଛନ୍ତି ।ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ କାମ କରୁନି ଇଭିଏମ୍ ମେସିନ୍ । ଯାହାଫଳରେ ଏବେ ଯାଏଁ ଆରମ୍ଭ ହୋଇପାରୁନି ମତଦାନ । ଇଭିଏମ୍ କାମ ନକରିବାରୁ ଭୋଟ ନଦେଇ ଫେରୁଛନ୍ତି ଭୋଟର । ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପ୍ରାୟ ୩ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୨୨ହଜାର ପୋଲିଂ କର୍ମଚାରୀ ବିଭିନ୍ନ ବୁଥରେ ପହଞ୍ଚିଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଇଭିଏମରେ ଭୋଟ୍ ହେଉଥିବାରୁ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ଏହାର ତ୍ବରିତ ସମାଧାନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳ ପାଇଁ ସ୍ବତନ୍ତ୍ର କର୍ମଚାରୀ ମୁତୟନ କରାଯାଇଛି। ନିର୍ବାଚନ ସରିବା ପରେ ସୁରକ୍ଷିତ ଭାବେ ଯେପରି ଇଭିଏମ୍ ଗୁଡ଼ିକ ଷ୍ଟ୍ରଙ୍ଗରୁମରେ ପହଞ୍ଚିବ ସେନେଇ ପୁଲିସ ପ୍ରଶାସନକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।
