ସାବରମତୀରେ ଚରଖା ବୁଲାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନ ଜଣାଇଲେ ଜନ୍ସନ୍
ଅହମ୍ମଦାବାଦ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଗୁରୁବାର ଗୁଜରାଟର ଅହମ୍ମଦାବାଦ୍ ବିମାନ ବନ୍ଦରରେ ପହଂଚିଛନ୍ତି । ବିମାନ ବନ୍ଦରରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ ସ୍ୱାଗତ କରିଛନ୍ତି । ସେହିପରି ସେଠାରେ ଅହମ୍ମଦାବାଦ ମେୟର, ରାଜ୍ୟ ମୁଖ ସଚିବ, ଗୁଜରାଟ ପୁଲିସ ଡିଜି ଆଶିସ୍ ଭାଟିଆ, ସ୍ଥାନୀୟ ଜିଲ୍ଲାପାଳ ଏବଂ ଅହମ୍ମଦାବାଦ ପୁଲିସ କମିଶନର ଉପସ୍ଥିତ ଥିଲେ ।
ପରେ ଜନ୍ସନ୍ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଆଶ୍ରମରେ ଜନସନ୍ ଚରଖା ବୁଲାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ। କାରଣ ଗାନ୍ଧୀ କୁଟି ଖାଅ ଓ କାଟି ପିନ୍ଧିବା ପାଇଁ ଲୋକଙ୍କୁ ବୁଝାଇଆସୁଥିଲେ। ଆଶ୍ରମର ପରିଦର୍ଶକ ପୁସ୍ତକରେ ଜନସନ ଦେଇଥିବା ନିଜର ମନ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତି ଭାବେ ଉଲ୍ଲେଖ କରିଛନ୍ତି। ବିଶ୍ବକୁ ପରିବର୍ତ୍ତନ ପାଇଁ ସତ୍ୟ ଓ ଅହିଂସା ଭଳି ସରଳ ନୀତିକୁ ସେ ପ୍ରଚାର ପ୍ରସାର କରାଇବାରେ ସଫଳ ହୋଇଥିଲେ। ସାବରମତୀ ଆଶ୍ରମ ପରିଦର୍ଶନ ପରେ ଜନସନ୍ ପଞ୍ଚମାଳସ୍ଥିତ ଜେସିବି ତିଆରି କମ୍ପାନୀକୁ ପରିଦର୍ଶନ କରିଥିଲେ। ଜେସିବି କମ୍ପାନୀ ପରିଦର୍ଶନ ସମୟରେ ସେ ଏକ ଜେସିବିରେ ଯାଇ ବସିଥିଲେ। ଏହା ସହିତ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କୁ ସାକ୍ଷାତ କରିଥିଲେ। ଆଦାନୀ ଗ୍ରୁପ୍ର ମୁଖ୍ୟାଳୟରେ ଜନସନ ଓ ଗୌତମ ଆଦାନୀଙ୍କ ସାକ୍ଷାତ ହୋଇଥିଲା। ଶୁକ୍ରବାର ଗସ୍ତର ଦ୍ବିତୀୟ ଦିନରେ ଜନସନ୍ ନୂଆଦିଲ୍ଲୀ ଯାତ୍ରା କରିବେ। ସକାଳେ ରାଷ୍ଟ୍ରପତି ଭବନରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ପରେ ସେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ କାରବାର ସମ୍ପର୍କରେ ବୁଝାମଣା ହେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦୁଇ ଦେଶର ସହଯୋଗ ଉପରେ ଆଲୋଚନା କରାଯିବ। ଅପରାହ୍ଣରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ କଥାବାର୍ତ୍ତା କରିବେ।
ଅନ୍ୟପକ୍ଷରେ ଶୁକ୍ରବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ପହଂଚିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରାଜଘାଟରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋରିସ ଜନ୍ସନ୍ । ସୂଚନା ଅନୁଯାୟୀ ଦୁଇ ଦେଶ ଭିତରେ ରାଜନୈତିକ, କୁଟନୈତିକ ଏବଂ ଆର୍ôଥକ ବୁଝାମଣା ନେଇ ଦୁଇ ନେତା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଭାରତ-ବ୍ରିଟେନ ମଧ୍ୟରେ ବାଣିଜ୍ୟିକ ସଂପର୍କ ସୁଦୃଢ଼ ପାଇଁ ଅହମ୍ମଦାବାଦରେ ମଧ୍ୟ ବୋରିସ ଜନ୍ସନ୍ ବଡ଼ ବଡ଼ ଉଦ୍ୟୋଗପତିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି ।
