କୁଲଡ଼ିହା ପାଦ ଦେଶରେ ଜଙ୍ଗଲି ବାର୍ହାଙ୍କ ଆତଙ୍କ, ଲୋକେ ଭୟଭୀତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟ ପାଦଦେଶ ପଞ୍ଚଲିଙ୍ଗେଶ୍ୱର ଛକ ନିକଟରେ ଦୁଇଟି ଜଙ୍ଗଲି ବାରାହାଙ୍କ ଆତଙ୍କ । ଦୁଇଘଣ୍ଟା ଧରି ନାକେଦମ୍ ହେଲେ ବନ ବିଭାଗ । ଫଳରେ ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇଥିଲେ । ଏନେଇ ଲୋକଙ୍କ ସୁରକ୍ଷା ପାଇଁ ବାର୍ହାକୁ ଯୋଗୀ ବସିଲେ ବନ କର୍ମଚାରୀ ।
ସୂଚନା ଯେ, ଗୁରୁବାର ରାତିରେ ଖାଦ୍ୟ ଅନ୍ୱେଷଣରେ ଦୁଇଟି ବାର୍ହା ଗାଁ ମୁହାଁ ହୋଇଥିଲେ । କିନ୍ତୁ ଶୁକ୍ରବାର ସକାଳେ ପଞ୍ଚଲିଙ୍ଗେଶ୍ୱର ଛକ ନିକଟରେ ରାସ୍ତା ପାରି ହେଉଥିବା ସମୟରେ ଲୋକେ ବାର୍ହା ଦୁଇଟିକୁ ଦେଖିବାକୁ ପାଇଥିଲେ । ଲୋକଙ୍କୁ ଦେଖି ବାର୍ହା ଦୁଇଟି ଧାନକ୍ଷେତରେ ଲୁଚି ଯାଇଥିଲେ । ପରେ ଖବର ପାଇ କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନାଙ୍କ ସମେତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ବାର୍ହା ଦୁଇଟିକୁ ଜଙ୍ଗଲକୁ ଘଉଡ଼ାଇବାକୁ ଚେଷ୍ଟା କରି ପ୍ରାୟ ଦୁଇ ଘଣ୍ଟା ଧରି ନାକେଦମ୍ ହୋଇଥିଲେ । ପରେ ବାର୍ହା ଦୁଇଟି ନିକଟସ୍ଥ ଧାନ କ୍ଷେତରେ ଲୁଚି ଯାଇଥିଲେ । ଫଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ବନ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରିଥିଲେ ରେଞ୍ଜର ଶ୍ରୀ ଜେନା । ସନ୍ଧ୍ୟା ସମୟରେ ବାର୍ହା ଦୁଇଟି ଜଙ୍ଗଲକୁ ପଳାଇ ଯାଇଥିବାର ଜଣାପଡ଼ିଛି ।
