ଡିଜିପି ଅଫିସ ସମ୍ମୁଖରେ ଯୁବତୀଙ୍କ ଆହୂତି ଉଦ୍ୟମ
କଟକ : କଟକ ଡିଜିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜଣେ ଯୁବତୀ ଦେହରେ କିରାସିନୀ ଢାଳି ନିଆଁ ଲଗାଇ ଆତ୍ମାହୂତୀ ଦେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣି ସେ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି । ସାମ୍ବାଦିକ ଜଣକ ତାଙ୍କର ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରିଦେବେ ବୋଲି କହି ବ୍ଲାକମେଲ୍ କରୁଥିବା ଯୁବତୀ ଜଣକ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । ରାଜକନିକା ଅଂଚଳର ଉକ୍ତ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସାମ୍ବାଦିକ ସରୋଜ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ୭ ବର୍ଷ ହେବ ସମ୍ପର୍କ ରଖିଥିଲେ । ପରେ ସରୋଜ ବିବାହିତ ବୋଲି ଜାଣିପାରି ଯୁବତୀଜଣକ ତାଙ୍କ ସହ ମିଳାମିଶା ବନ୍ଦ କରିଦେଇଥିଲେ । ଏହାପରେ ସରୋଜ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଲେ । ସରୋଜ ରଖିଥିବା ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏନେଇ ଯୁବତୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଯୁବତୀଙ୍କ କେସ୍କୁ ଗ୍ରହଣ ନ କରି ଓଲଟା ତାଙ୍କୁ ଥାନାରେ ମାଡ ମାରିଥିଲା । ପଟ୍ଟାମୁଣ୍ଡାଇ ଥାନାରୁ ସହାୟତା ନପାଇ ଯୁବତୀ ଜଣକ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦରଖାସ୍ତ ଦେଇଥିଲେ । ତେବେ ସେଠାରୁ ବି ତାଙ୍କୁ ନ୍ୟାୟ ନ ମିଳିବାରୁ ‘ଆଜି ମୁଁ ମରିଯିବାକୁ ଚାହେଁ’ ବୋଲି କହି ଯୁବତୀ ଜଣକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତୀ ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଥିବା ବେଳେ ସରୋଜ ଫେରାର ଥିବାରୁ ତାଙ୍କ ନାଁରେ ୱାଣ୍ଟେଡ୍ ପୋଷ୍ଟର ଲଗାଯାଇ ତଦନ୍ତ ଚାଲିଥିବା କୁହାଯାଉଛି ।
