୨୦୨୨-୨୩ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ ଲକ୍ଷ୍ୟ
ଭୁବନେଶ୍ୱର : ୨୦୨୨-୨୩ ଆର୍ôଥକ ବର୍ଷରେ ଓଡ଼ିଶାରେ ୩୦୦ ବିଜୁ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ମଙ୍ଗଳବାର ଗ୍ରାମ୍ୟ ନିର୍ମାଣ ଭବନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ମନ୍ତ୍ରୀ ଶ୍ରୀ ଘଡ଼ାଇ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେତୁର ଗୁଣବତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବା ସହ ସେ ପ୍ରକଳ୍ପ ନିମନ୍ତେ ଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଥିବା ସମସ୍ୟାର ତ୍ୱରିତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେତୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା ନେଇ ପ୍ରତ୍ୟେକ ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଘଡ଼ାଇ ପ୍ରକାଶ କରିଛନ୍ତି ।
ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ କହିଛନ୍ତି ଯେ ସେତୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପନ୍ନ କରିବାରେ ଉଭୟ ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସୀଙ୍କ ସମାନ ଦାୟିତ୍ୱ ରହିଛି । ତେଣୁ ସମସ୍ତଙ୍କୁ ଦଳଗତ ମନୋଭାବ ନେଇ କାମ କରିବାକୁ ପଡ଼ିବ । ସମସ୍ତ ଯନ୍ତ୍ରୀମାନଙ୍କୁ କ୍ଷେତ୍ର ଗସ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାଗୁଡ଼ିର ସମାଧାନ କରି ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯେ, ମୁଖ୍ୟମନ୍ତ୍ରୀ ବିଜୁ ସେତୁ ପରି ଐତିହାସିକ ଯୋଜନାର ପରିକଳ୍ପନା କରିଥିଲେ । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୧୩୯ଟି ବିଜୁ ସେତୁ ନିର୍ମାଣ ହୋଇଛି ଏବଂ ୨୦୨୩ ମାର୍ଚ୍ଚ ସୁଦ୍ଧା ଆହୁରି ୩୦୦ଟି ବିଜୁ ସେତୁ ନିର୍ମାଣ କରାଯିବ । ଏହି ସମୀକ୍ଷା ବୈଠକରେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଯନ୍ତ୍ରୀମୁଖ୍ୟ ପ୍ରଦୀପ ସାମଲ, କୋଠାବାଡ଼ି ଓ ସେତୁର ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ସ୍ୱତନ୍ତ୍ର ଶାସନ ସଚିବ ଇଂ ଅକ୍ଷୟ କୁମାର ପ୍ରଧାନ, ମୁଖ୍ୟଯନ୍ତ୍ରୀ(ରାସ୍ତା) ସଂଜୀବ ମହାନ୍ତିଙ୍କ ସମେତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଏଜେନ୍ସୀମାନେ ଉପସ୍ଥିତ ଥିଲେ ।
