ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି । ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁଦ୍ଦା କରି ଏହି ଯାତ୍ରା ଚାଲିଛି । ଏହି ଅବସରରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି ।
ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି ଶିବାନନ୍ଦ ରାୟ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ ରବି ସେଠୀ, ଯୁଗ୍ମ ସଂଯୋଜକ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
