ଇମର୍ତ୍ତୀ ଦେବୀଙ୍କ ଜନ୍ମଦିନ ପାଳିତ
କଟକ : ସ୍ଥାନୀୟ ନୟାସଡ଼କସ୍ଥିତ ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ସ୍ୱର୍ଗତା ଇମର୍ତ୍ତୀ ଦେବୀଙ୍କ ଜନ୍ମଦିନ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡ଼ାକ୍ତର ରବିରଞ୍ଜନ ସାହୁ, ଅଧ୍ୟକ୍ଷ ଡ଼କ୍ଟର ଅବଦୁଲ ଉସ୍ମାନ୍ ଖାନ୍, ସମସ୍ତ ଅଧ୍ୟାପକ /ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରୀମାନେ କଲେଜ ପରିସରରେ ଥିବା ଇମର୍ତ୍ତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଅଧ୍ୟକ୍ଷ ଡ଼କ୍ଟର ଖାନ୍ଙ୍କ ପୌରୋହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଡ଼ାକ୍ତର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱର୍ଗତା ଇମର୍ତ୍ତୀ ଦେବୀ ନାରୀ ଶିକ୍ଷାର ପ୍ରସାର ପାଇଁ ସର୍ବଦା ଚିନ୍ତା କରୁଥିଲେ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ସୁଯୋଗ୍ୟ ସନ୍ତାନ ଗଜାନନ୍ଦ ଅଗ୍ରୱାଲ ମହୋଦୟ କିପରି ଏହି ମହିଳା ମହାବିଦ୍ୟାଳୟ ସ୍ଥାପନା କରିଥିଲେ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଡ଼କ୍ଟର ଖାନ୍ ନିଜର ଅଭିଭାଷଣରେ ନାରୀଶିକ୍ଷା ସହ ହିନ୍ଦୀ ଭାଷାର ପ୍ରସାର ପାଇଁ ସ୍ୱର୍ଗତା ଇମର୍ତ୍ତୀ ଦେବୀ ତଥା ତାଙ୍କ ସୁପୁତ୍ର ସ୍ୱର୍ଗତ ଗଜାନନ୍ଦ ଅଗ୍ରୱାଲ୍ଙ୍କ ଅଦମ୍ୟ ଇଚ୍ଛାଶକ୍ତି ହିଁ ଏହି ମହିଳା ମହାବିଦ୍ୟାଳୟ ସ୍ଥାପନ ମାଧ୍ୟମରେ ସଫଳ ହୋଇପାରିଛି ଏବଂ ଏହା ତାଙ୍କୁ ଚିର ସ୍ମରଣୀୟ କରି ରଖିଥିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ବର୍ତ୍ତମାନ ସ୍ୱର୍ଗତା ଇମର୍ତ୍ତୀ ଦେବୀଙ୍କର ପୌତ୍ର ତଥା ସ୍ୱର୍ଗତ ଗଜାନନ୍ଦ ଅଗ୍ରୱାଲଙ୍କ ସୁପୁତ୍ର ସତ୍ୟନାରାୟଣ ଅଗ୍ରୱାଲ ଉକ୍ତ ମହାବିଦ୍ୟାଳୟର ସାମଗ୍ରିକ ଉନ୍ନତି ବିଧାନରେ ନିଜକୁ ବ୍ରତୀ କରିଛନ୍ତି । +୩ କଳା ତୃତୀୟବର୍ଷ ଛାତ୍ରୀ ସୁଶ୍ରୀ ଅପରାଜିତା ରାୟ ଇମର୍ତ୍ତୀ ଦେବୀ ତଥା ତାଙ୍କ ସୁଯୋଗ୍ୟ ଦାୟାଦମାନଙ୍କ କଲେଜ ପ୍ରତି ଅବଦାନ ସଂପର୍କରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଶେଷରେ ପ୍ରାଧ୍ୟାପକ ଉପେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
