ଶନିବାର କୋର୍ଟରେ ନିସଃର୍ତ୍ତ ଆତ୍ମସମର୍ପଣ କରିବେ ଇମ୍ରାନ
ଲାହୋର : ନିସଃର୍ତ୍ତ ଆତ୍ମସମର୍ପଣ କରିବେ ତୋଷଖାନା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଆସନ୍ତା ୧୮ ତାରିଖ ଶନିବାର ସେ କୋର୍ଟରେ ଆତ୍ମସମର୍ପଣ କରିବେ। ପୋଲିସର ଗିରଫ ଏଡାଇବା ଲାଗି ଅଦାଲତ ଇମ୍ରାନଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଛନ୍ତି।
ଗୁରୁବାର ଜିଲା ଦୌରାଜଜ୍ କୋର୍ଟ ଇମ୍ରାନଙ୍କ ଗିରଫ ପ୍ରସଙ୍ଗର ଶୁଣାଣି କରିବା ପରେ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଥିଲେ। ନିସଃର୍ତ୍ତ ଆତ୍ମସମର୍ପଣ ନିମନ୍ତେ ରାଜି ହେଲେ ତାଙ୍କୁ ପୋଲିସ ଗିରଫରୁ ଆଶ୍ବସ୍ତି ଦିଆଯିବ ବୋଲି ଅଦାଲତ ସର୍ତ୍ତ ରଖିଥିଲେ। ଆତ୍ମସମର୍ପଣ କରିବା ପରେ ଇମ୍ରାନ ଅଦାଲତରୁ କୌଣସି ପ୍ରକାର ଆଶ୍ବସ୍ତି ନିମନ୍ତେ ଆବେଦନ କରିପାରିବେ।
ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନଙ୍କ ଓକିଲ ତାଙ୍କ ମହକିଲଙ୍କ ଆତ୍ମସମର୍ପଣ ସଂକ୍ରାନ୍ତ ଲିଖିତ ଘୋଷଣାନାମା ଦାଖଲ କରିଥିଲେ। ଦୁର୍ନୀତି ଅଭିଯୋଗରେ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ପୁଲିସ ତାଙ୍କୁ ଗିରଫ ନିମନ୍ତେ ମଙ୍ଗଳବାର ବାସଭବନ ଘେରାଉ କରିଥିଲା। ମାତ୍ର ଇମ୍ରାନଙ୍କ ସମର୍ଥକଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରି ନଥିଲା।
