ବିଭିନ୍ନ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ହୋ ହାଲ୍ଲା, ସୋମବାର ଯାଏଁ ମୁଲତବୀ
FILE PHOTO: Indian parliament building is reflected in a puddle after the rain in New Delhi, India July 20, 2018. REUTERS/Adnan Abidi
ନୂଆଦିଲ୍ଲୀ : ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ବିଶୃଙ୍ଖଳା ଦେଖାଯାଇଛି। ଗତ ସୋମବାର ଠାରୁ ସଂସଦର ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବା ପରଠାରୁ ୫ ଦିନ ଧରି ଗୃହ କାର୍ଯ୍ୟ ସ୍ବଭାବିକ ହୋଇପାରି ନାହିଁ । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ସଂସଦର ଉଭୟ ଗୃହରେ ହୋ ହାଲ୍ଲା ଲାଗି ରହିଛି । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି ।
ଲୋକସଭାରେ ଶାସକ ଦଳର ସଦସ୍ୟମାନେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଦାବି କରିଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଡିଏମ୍କେ ଓ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ପ୍ରବଳ ହୋହାଲ୍ଲା କରିଥିଲେ। ଫଳରେ ଲୋକସଭା ବାଚସ୍ପତି ଓମ୍ ବିରଲା ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ସୋମବାର ଯାଏଁ ଗୃହକୁ ମୁଳତବୀ ଘୋଷଣା କରିଥିଲେ ।
ସେହିଭଳି ରାଜ୍ୟସଭାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟାନ୍ୟ କେତେକ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗ୍ୟକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ଥିଲେ। ବିରୋଧୀ ଦଳର ସଦସ୍ୟମାନଙ୍କୁ କଥା କୁହାଇ ଦେବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ। ହଟ୍ଟଗୋଳ ଜାରି ରହିବା ଫଳରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକୁ ସୋମବାର ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।
