ବଢ଼ିଲା ଇମ୍ରାନ ଖାନଙ୍କ ଅଡୁଆ, କୌଣସି ବି ମୁହୂର୍ତ୍ତରେ ହୋଇପାରନ୍ତି ଗିରଫ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଛି ଆରେଷ୍ଟ ୱାରେଣ୍ଟ । ଏହି ଗିରଫ ପରଓ୍ୱାନା ଜାରି ହେବା ପରେ ତାକୁ କୌଣସି ବି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ରିପୋର୍ଟ ଅନୁସାରେ ଇସଲାମାବାଦର ମାରଗଲ୍ଲା ମାଜିଷ୍ଟ୍ରେଟ ଇମ୍ରାନଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ଜାରି କରିଥିବା ଜଣାପଡ଼ିଛି ।
ଗତ ଅଗଷ୍ଟ ୨୦ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମହିଳା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ନେଇ ଏହି ଗିରଫ ୱାରେଣ୍ଟ ଜାରି କରାଯାଇଛି । ଏହାପୂର୍ବରୁ ମଧ୍ୟ ଅଧିକାରୀ ଓ ଜଜ୍ଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏହି ମାମଲାକୁ ନେଇ ତାଙ୍କୁ କୋର୍ଟ ଜାମିନ ମଧ୍ୟ ଦେଇଛନ୍ତି । ଇମ୍ରାନଙ୍କ ବିରୋଧରେ ଇସଲାମବାଦର ସଦର ମାଜିଷ୍ଟ୍ରେଟ ଅଲ୍ଲୀ ଜାୱେଦ ମଧ୍ୟ ମାମଲା ରୁଜୁ କରିଛନ୍ତି ।
ପାକିସ୍ତାନର ଆଇନ ପିପିସି ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଧାରା ୫୦୬ (ଅପରାଧିକ ମାମଲା), ୫୦୪ (ଶାନ୍ତି ଭଙ୍ଗ), ୧୮୯(ଜନ ପ୍ରତିନିଧିଙ୍କୁ ଧମକ)ରେ ମାମଲା ରୁଜୁ ହୋଇଛି । ଏକ ରିପୋର୍ଟ ଅନୁସାରେ ଇମ୍ରାନ ଅଦାଲତକୁ ଆଶ୍ବାସନା ଦେଇଛନ୍ତି କି, ସେ ଭବିଷ୍ୟତରେ ଏପରି ଅପରାଧିକ କାର୍ଯ୍ୟ କରିବେ ନାହିଁ । ଏହାଦ୍ବାରା କୋର୍ଟର ଜଜ୍ଙ୍କୁ ଯେପରି କୌଣସି ଆଘାତ ପହଞ୍ଚିବ ନାହିଁ ।
