ରାଜ୍ୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା! ପୌର ନିର୍ବାଚନରେ କୌଣସି କରୋନା କଟକଣା ରହିବ ନାହିଁ
ଭୁବନେଶ୍ୱର : ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ସୋମବାର ପ୍ରେସମିଟ୍ ଜରିଆରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନ୍ କହିଛନ୍ତି ଯେ, ପୌର ଏବଂ ମହାନଗର ନିଗମ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଅପରାହ୍ନ ୩ଟା ସୁଦ୍ଧା ଶେଷ ହେବ ନାମାଙ୍କନ ଦାଖଲର ସମୟ ସୀମା । ସେହିପରି ଆସନ୍ତା ୯ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ମାର୍ଚ୍ଚ ୧୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୨୪ରେ ମତଦାନ ଏବଂ ୨୬ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ।
ଅନ୍ୟପକ୍ଷରେ ପୌର ନିର୍ବାଚନରେ କୌଣସି କରୋନା କଟକଣା ରହିବ ନାହିଁ । ରାଜ୍ୟରେ କରୋନା ପଜିଟିଭିଟି ହାର କମିଥିବାରୁ ପ୍ରଚାର କଟକଣା ନାହିଁ । ସାଧାରଣ ଭାବେ ଯେମିତି ପ୍ରଚାର କରାଯାଏ ସେମିତି ପ୍ରଚାର କରାଯିବ । କିନ୍ତୁ ଆଗକୁ ଯଦି ମାମଲା ବଢେ, ତେବେ କଟକଣା ଲାଗୁ କରାଯିବ । ସେପଟେ ପ୍ରତି ବୁଥରେ ୨ଟି ଇଭିଏମ୍ ରହୁଥିବାରୁ ପୋଲିଂ ଟିମ୍ ବଢିବ । ପ୍ରତି ପୋଲିଂ ଟିମରେ ଜଣେ ପ୍ରିଜାଇଡିଂ ଓ ୪ ପୋଲିଂ ଅଫିସର ରହିବେ । ୨୭ ଲକ୍ଷରୁ ଅଧିକ ଭୋଟର ୧୦୬ ମ୍ୟୁନିସିପାଲିଟି / ଏନଏସିର ୧୭୩୧ ୱାର୍ଡ ଅନ୍ତର୍ଗତ ୩,୦୩୦ ବୁଥରେ ସେମାନଙ୍କର ମତଦାନ କରିବେ । ସେହିଭଳି ୧୪.୨୬ ଲକ୍ଷରୁ ଅଧିକ ଭୋଟର ୩ଟି ମହାନଗର ନିଗମରେ ୧୬୮ ୱାର୍ଡ ଅନ୍ତର୍ଗତ ୧୪୦୭ ବୁଥରେ ସେମାନଙ୍କର ମତଦାନ କରିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ନିର୍ବାଚନ ମଇଦାନରେ ଭୋଟରଙ୍କ ମନପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର/କାଉନ୍ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବା କର୍ପୋରେଟର/କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ। ଏହାଛଡ଼ା ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବା ଏହା ଦ୍ୱାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏମରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବ । ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିଛିା ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିସାରି ଦ୍ୱିତୀୟ ପ୍ରକୋଷ୍ଠକୁ ଯିବେ ଓ ସେଠାରେ କର୍ପୋରେଟର/କାଉନ୍ସିଲର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିବେ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି।
ସୂଚନା ଯେ, ରାଜ୍ୟରେ ପ୍ରଥମ ଥର ପାଇଁ ମେୟର ଏବଂ ଚେୟାରମ୍ୟାନ୍ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ୍ ବ୍ୟବହାର କରାଯିବ । ଗୋଟିଏ କାଉନସିଲର / କର୍ପୋରେଟର ଏବଂ ଅନ୍ୟଟି ଚେୟାରମ୍ୟାନ୍ / ମେୟରଙ୍କ ପାଇଁ ରହିବ । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୩ ଜଣ ପୋଲିଂ ଅଫିସର ରହିବେ। ୩ଟି ଶକ୍ତିଶାଳୀ କୋଠରୀ ରହିବ, ଗୋଟିଏ କାଉନସିଲର / କର୍ପୋରେଟରର ଇଭିଏମ୍ ଗଚ୍ଛିତ କରିବାକୁ । ଅନ୍ୟଟି ଚେୟାରମ୍ୟାନ୍ / ମେୟରଙ୍କ ଇଭିଏମ୍ ଗଚ୍ଛିତ କରିବାକୁ ଏବଂ ତୃତୀୟଟି ସଂରକ୍ଷିତ ଇଭିଏମ୍ ଗଚ୍ଛିତ କରିବାକୁ।
