କୋଭିଡ ଟିକା ନେବାର କିଛି ମାସ ପରେ ଶରୀରରୁ ହ୍ରାସ ପାଉଛି ରୋଗ ପ୍ରତିରୋଧକ ଶକ୍ତି : ଆଇସିଏମ୍ଆର୍
ଭୁବନେଶ୍ୱର : ତୃତୀୟ ଲହର ନେଇ ମନ ଭିତରେ ଭୟ ଥିବା ବେଳେ ଏକ ଗବେଷଣାରୁ ଜଣାଯାଇଛି ଯେ କୋଭିଡ ଟିକା ନେବାର କିଛି ମାସ ପରେ ଶରୀରରୁ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ଭୁବନେଶ୍ୱର ଆରସିଏମଆର ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ସ୍ପଷ୍ଟ ହେଉଛି । ତେବେ ଏହା ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିନପାରେ, କିନ୍ତୁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି କି ନାହିଁ ଏହା ଉପରେ ଗବେଷଣାକୁ ତ୍ୱରାନ୍ୱିତ କରାଯାଇଛି ।
ଟିକା ପରେ ବି ଶଙ୍କା ଯାଉନି । ଟିକା ନେବାର କିଛି ମାସ ପରେ କୋଭିଡ ବିରୋଧୀ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଚାଲୁଛି । ଭୁବନେଶ୍ୱର ଆରସିଏମଆର ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ସ୍ପଷ୍ଟ ହୋଇଛି । ୬୧୪ ଜଣ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଅନୁଧ୍ୟାନ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ୩୦୮ ଜଣ କୋଭିସିଲଡ ଟିକା ନେଇଥିଲେ ଏବଂ ୩୦୬ ଜଣ କୋଭାକ୍ସିନ ଟିକା ନେଇଥିଲେ । ତେବେ ଜଣାଯାଇଛି ଯେ ମୋଟ ୬୧୪ ଜଣଙ୍କ ମଧ୍ୟରୁ କେବଳ ୮୧ ଜଣଙ୍କର ଆଂଟିବଡି କିଛି ମାସ ପର୍ଯ୍ୟନ୍ତ ପୂର୍ବଭଳି ରହିଛି । ଅବଶିଷ୍ଟ ୫୩୩ ଜଣଙ୍କର ଆଂଟିବଡି ହ୍ରାସ ପାଇଛି । କୋଭାକ୍ସିନ ନେବାର ୨ ମାସ ପରେ ଏବଂ କୋଭିସିଲଡ ନେବାର ୩ ମାସ ପରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଛି । ତେବେ ଏହାଦ୍ୱାରା ଯେ ଜଣେ କୋଭିଡରେ ସଂକ୍ରମିତ ହେବ ତାହା ନୁହେଁ ବୋଲି ଆଶ୍ୱାସନା ଦେଇ କହିଛନ୍ତି ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି । ପୂର୍ବରୁ ବ୍ରିଟେନରେ ଅନୁରୂପ ଅନୁଧ୍ୟାନ କରାଯାଇଥିଲା । ଫାଇଜର ଏବଂ ଆଷ୍ଟ୍ରାଜେନେକା ଡବଲ ଡୋଜ ଟିକା ନେବାର ୬ ମାସ ପରେ ଆଂଟିବଡି ବହୁ ମାତ୍ରାରେ ହ୍ରାସ ପାଉଥିବା ଦେଖାଯାଇଥିଲା । ତେଣୁ ଅନେକ ଦେଶ ଏବେ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲେଣି ।
