ପଞ୍ଚଭୂତରେ ଲୀନ ହେଲେ ନନ୍ଦ ସାର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
ଯାଜପୁର: ଯାଜପୁରର ଗର୍ବ ଏବଂ ଗୌରବ ପଦ୍ମଶ୍ରୀ ଗୁରୁ ତଥା ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ପୃଷ୍ଟିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜିଲ୍ଲା ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହାଶ୍ମଶାନରେ ଶତାୟୁ ପୁରୁଷ ନନ୍ଦ ସାରଙ୍କ ଅନ୍ତିମ ସତ୍କାର କରାଯାଇଛି ।
ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯାଇଛି । କୋଭିଡର ସମସ୍ତ କଟକଣା ମଧ୍ୟରେ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ କରାଯାଇଛି । ସାନପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଛନ୍ତି । ଶେଷକୃତ୍ୟ ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ରାହୁଲ ପିଆରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ । ମଙ୍ଗଳବାର କୋଭିଡରେ ଆକ୍ରାନ୍ତ ହୋଇ ୧୦୪ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ପଦ୍ମଶ୍ରୀ ନନ୍ଦ ସାର ।
