ତତଲା କଡ଼େଇରେ ଭାଜି ହେଉଛି ସାରା ଓଡି଼ଶା, ୬ ଜିଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ପ୍ରଚଣ୍ତ ତାତିରେ କଲବଲ ରାଜ୍ୟବାସୀ । ଆକାଶରୁ ହେଉଛି ନିଆଁ ବର୍ଷା। ଦିନ ବଢିବା ସହ ତାପମାତ୍ରା ଅସହ୍ୟ ହୋଇପଡୁଛି । ଦିନ ୧୨ଟା ବେଳକୁ ଶୂନଶାନ ହୋଇଯାଉଛି ରାସ୍ତାଘାଟ । ପରିସ୍ଥିତି ଏମିତି ହେଉଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଢହ ଢହ ଖରାରେ ସୁଝୁଛନ୍ତି ଲୋକେ । ତେବେ ଆଜି ମଧ୍ଯ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ଆଞ୍ଚିଳକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ସୋନପୁର, ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ତାପମାତ୍ରା ବଢିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ପ୍ରବଳ ଖରା ଓ ଗରମ ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୪.୫ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ରହିଥିଲା ।
ସେପଟେ ଶୁକ୍ରବାର ଦିନ ପାଗରେ ପରିବର୍ତ୍ତନ ଆସିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ତାତି କମିବା ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ୨୧ ତାରିଖ ସାଢେ ୮ଟାରୁ ୨୨ ତାରିଖ ସକାଳ ସାଢେ ୮ଟା ଯାଏଁ ମାଲକାନଗିରି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ତି, ନବରଙ୍ଗପୁର, ଗଜପତି, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ୨୨ ତାରିଖରୁ ୨୩ ତାରିଖ ସକାଳ ଯାଏଁ ଯାଜପୁର, କେନ୍ଦ୍ରାପଡ଼ା,ଭଦ୍ରକ, ଅନୁଗୁଳ, ରାୟଗଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, ବାଲେଶ୍ବର ଓ ପୁରୀ ଆଜି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
#Rainfall Forecast for Day-1 to Day-5: pic.twitter.com/Ro3fOrNH2X
— Meteorological Centre, Bhubaneswar (@mcbbsr) April 19, 2023
ପ୍ରକାଶ ଥାଉ କି, ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଛନ୍ତି। ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସରକାର ଓ ବେସରକାରୀ ସ୍କୁଲ ବନ୍ଦ ରହିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ଣ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର୍ କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଛୁଟି ଘୋଷଣା କରାଯାଇଛି।
ପ୍ରକାଶ ଥାଉ କି, ସେପଟେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଥିଲା । ସମସ୍ତ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଖରା ଯୋଗୁଁ ରାଜ୍ୟବାସୀଙ୍କୁ ସର୍ତକ କରିବା ସହ ସଚେତନ କରାଇବା ନେଇ ନିର୍ଦ୍ଦେଶ ରହିଛି । ଖରାପ ନଳକୂଳର ମରାମତି, ପ୍ରତ୍ୟେକ ଗାଁରେ ପାନୀୟ ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ, ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ଲାଗି ବାରଣ, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ, ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସତେନ କରାଯିବ, ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଓ ଓଆରଏସ୍ ରଖାଯିବା ନେଇ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
