ଭଡ଼ା ଘରେ ବେଆଇନ ଦେହ ବ୍ୟବସାୟ, ୨ଗ୍ରାହକ ଅଟକ
ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରିନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ବେଆଇନ ଭାବେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ ହୋଇଛି। ମଙ୍ଗଳବାର ଅପରାହ୍ନରେ ପୋଲିସ ସଂପୃକ୍ତ ସ୍ଥାନରେ ଅତର୍କିତ ଭାବେ ଚଢ଼ଉ କରି ଘଟଣାକୁ ପଦାରେ ପକାଇଛି। ଚଢ଼ଉ ସମୟରେ ଘଟଣାସ୍ଥଳରୁ ପୋଲିସ ୨ ଜଣ ଗ୍ରାହକଙ୍କୁ ଧରି ପଚରାଉଚରା ପାଇଁ ଅଟକ ରଖିଛି।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଆଜି ଅପରାହ୍ନରେ ଭଡ଼ାଘରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଏହା ପୂର୍ବରୁ ସ୍ଥାନୀୟ ଲୋକମାନେ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରିଥିଲେ। ଉଭୟ ଯୁବକ ପୁଲିସ ସମୁଖରେ ଘଟଣା ସଂପର୍କରେ ସ୍ୱୀକାର କରିବା ସହ ଗ୍ରାହକ ଯୋଗାଡ଼ କରୁଥିବା ଦଲାଲର ସୂଚନା ମଧ୍ୟ ଦେଇଥିଲେ। ଗ୍ରାହକ ଭାବେ ଆସିଥିବା ଯୁବକ ଜଣଙ୍କ ପ୍ରଥମ ଥର ପାଇଁ ଆସି ଫସି ଯାଇଥିବା କହୁଥିଲେ। ହେଲେ ଘଟଣାସ୍ଥଳରେ ଉକ୍ତ ଭଡ଼ା ଘରର ବାହାର ପାଖ ମୁଖ୍ୟ ଫାଟକରେ ତାଲା ଝୁଲୁଥିଲା ଏବଂ ସମୁଖରେ ଏକ ଅଟୋ ଗାଡି ରହିଥିଲା। ଏଭଳି ଘଟଣାରେ କୋଲୋନିର ମହିଳା ଓ ପୁରୁଷ ଲୋକମାନେ ଲୋକ ଲଜ୍ୟାରେ ଘରୁ ବାହାରି ପାରୁନଥିବା ପୁଲିସକୁ କହିବା ସ୍ବତ୍ତ୍ବେ ପୁଲିସ ଅଧିକ ଛାନଭିନ ନକରି ସନ୍ଦିଗ୍ଧ ଦୁଇ ଯୁବ ଗ୍ରାହକଙ୍କୁ ଥାନାକୁ ନେଇଥିଲା। ଉଭୟ ଯୁବକ ଆସିଥିବା ବାଇକ (ଓଡି୧୯ ଟି ୩୩୦୮)କୁ କିଛି ଦୂରରେ ଥିବା ଏକ ଢାବା ସାମ୍ନାରୁ ଜବତ କରିଥିଲା।
