ପାଠପଢା ପାଇଁ ଇଫୁଙ୍କୁ ମିଳିଛି ୬୨୯୫୦ ଟଙ୍କା ସହାୟତା
କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତ ର ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଡାକ୍ତରୀ ପଢୁଆ ଛାତ୍ର ଇଫୁଙ୍କୁ ମିଳିଲା ୬୨ ହଜାର ୯୫୦ ଟଙ୍କା । ଫଳରେ ସେ ଖୁସିବ୍ୟକ୍ତ କରିବା ସହ ପ୍ରଶାସନକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଇଫୁ ପିଲା ବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବେ ବୋଲି ଭାବିଥିଲେ । ଆଉ ନିଜର ଆଗ୍ରହ, କଠିନ ପରିଶ୍ରମ, ନିଷ୍ଠା ବଳରେ ସେ ଆଜି ନିଟ ପରିକ୍ଷାରେ କୃତକାର୍ଯ୍ୟ ଲାଭ କରିପାରିଛନ୍ତି । ଇଫୁ ଦ୍ୱିତୀୟ ଥର ନିଟ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଇଫୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟରେ ପାଠ ପଢିବେ । ଏଣୁ କ୍ଲାସ ଆରମ୍ଭ ପୂର୍ବରୁ ମୋତେ କାମକରି ଅର୍ଥ ସଂଗ୍ରହ କରିବାକୁ ପଡିବ ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି ଇଫୁ । ଗତ ଦଶ ଦିନରେ ସେ ମାତ୍ର ୨ ହଜାର ଟଙ୍କା ହିଁ ଯୋଗାଡ଼ କରିଛନ୍ତି । ତେବେ ବାପା ମୁଲ ଲାଗି ପରିବାର ଚଳାଉଥିବାରୁ ତାଙ୍କ ପାଖରେ ପୁଅକୁ ପାଠ ପଢାଇବା ଲାଗି ଅର୍ଥ ନାହିଁ । ଫଳରେ ଇଫୁବେଳେ ବେଳେ ନିଜେ କାମ କରି ଟଙ୍କା ଯୋଗାଡ଼ କରୁଥିବା କଥା ଖବର ପ୍ରକାଶ ପାଇବା ପରେ ପ୍ରଶାସନ ସହଯୋଗର ହାତ ବଢ଼ାଇଥିଲା । ବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ଆଜି ଇଫୁଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ତେବେ ବଳକା ଅର୍ଥ କେମିତି ସଂଗ୍ରହ ହେବ ତାକୁନେଇ ଚିନ୍ତାରେ ଅଛନ୍ତି ସେ । ବର୍ତମାନ ଇଫୁ ତାଙ୍କର ଜଣେ ବନ୍ଧୁଙ୍କ ବାପାଙ୍କ ଠାରୁ ଆଡ଼ମିସନ ପାଇଁ ପାଖା ପାଖି ଚାଳିଶ ହଜାର ଟଙ୍କା ଧାର କରିସାରିଛନ୍ତି । ହଷ୍ଟେଲ ଫି ପାଇଁ ପନ୍ଦର ହଜାର ଟଙ୍କା ଆହୁରି ଜମା କରିପାରିନାହାନ୍ତି । ସେହିପରି ମାସକୁ ଚାରି ପାଂଚ ହଜାର ହଷ୍ଟେଲ ଫି ଦେବାକୁପଡିବ ମୋତେ, ଏଣୁ ଅର୍ଥ ସଂଗ୍ରହ ପାଇଁ ସଂଘର୍ଷ କରୁଛି ବୋଲି ଇଫୁ କହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ, ସ୍ୱେଛାସେବୀ ସଂଗଠନ, ସହୃଦୟ ବ୍ୟକ୍ତି ବିଶେଷ ଆର୍ôଥକ ସହଯୋଗର ହାତ ବଢ଼ାଇଲେ ଇଫୁ ଜଣେ ଭଲ ଡାକ୍ତର ହୋଇପାରନ୍ତେ ଆଉ ନିଜ ଗାଁ ର ଗରିବ ଲୋକଙ୍କ ସେବାକରନ୍ତେ । ପ୍ରେସ କ୍ଲବ, ଫୁଲବାଣୀ ପକ୍ଷରୁ ଇଫୁଙ୍କ ପାଠପଢିବା ପାଇଁ ଆର୍ôଥକ ସହାୟତା ଯୋଗାଇ ଦେବାଲାଗି ଜିଲ୍ଲା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟନାୟକ ପ୍ରତିଶ୍ରୁତି ଦେଇଥିବା ବେଳେ ପଞ୍ଜାବ ନେସନାଲ ବ୍ୟାଙ୍କ, ଫୁଲବାଣୀ ଶାଖା ପକ୍ଷରୁ ମଧ୍ୟ ସହଜ ଓ ସୁବିଧାରେ ଶିକ୍ଷା ଋଣ ଯୋଗାଇଦେବା ପାଇଁ ଶାଖା ପରିଚାଳକ ପ୍ରତିଶୃତି ଦେଇଛନ୍ତି ।
